ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀ ଓ ଏନସିଆର ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ଆଜି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ଓ ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ । ୟୁଏସ ସିସ୍ମୋଲୋଜିକାଲ ସେଂଟରର ସୂଚନା ମୁତାବକ, ଏହି ଭୂମକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୬.୪ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ କାବୁଲ ଠାରୁ ୨୪୫ କି.ମି. ଦୂର ଅର୍ଥାତ୍ ଆଫଗାନିସ୍ତାନର ହିନ୍ଦୁକୋଶ ଠାରେ ଥିଲା । ଭାରତୀୟ ସମୟ ଅନୁସାରେ ସଂନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, କଶ୍ମୀରର ଅଧିକାଂଶ ଅଂଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପାକିସ୍ତାନର ଇସଲାମାବାଦ ଓ ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହା ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ନଭେମ୍ବର ୧୯ ତାରିଖରେ ମଧ୍ୟ ଦିଲ୍ଲୀ ସମେତ କେତେକ ଅଂଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ ୫ ଥିଲା ।