ବାରାଣାସୀ – ଜ୍ଞାନବାପି ପରିସରରେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସର୍ଭେ ଶୁକ୍ରବାର ଅଷ୍ଟମ ଦିନରେ ପହଂଚିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଏସଆଇ ଟିମ୍ ସର୍ଭେ କରୁଛି । ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସହରର ସମସ୍ତ ସମ୍ବେଦନଶୀଳ ଓ ଅତିସମ୍ବେଦନଶିଳ ସ୍ଥାନ ଉପରେ ପୋଲିସ ନଜର ରଖିଛି ।
ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଟିମ୍ ଜ୍ଞାନବାପି ପରିସରରେ ସକାଳେ ନିର୍ଦ୍ଧାରିତ ସମୟରେ ପହଂଚିଥିଲା । ଟିମ୍ ର ସଦସ୍ୟ ମାନେ ଏହି ସର୍ଭେରେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରୟୋଗ କରିବା ସହ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ସହିତ ଥ୍ରି ଡି ମେପିଂ ମଧ୍ୟ କରାଯାଉଛି । ପ୍ରସ୍ତୁତ କରାଯାଇଥିବା ନକ୍ସାକୁ ଆଧାର କରି ମାପଜୁଖକୁ ଡିଜିଟାଲ ନକ୍ସାରେ ଦାୟର୍ କରାଯାଉଛି । ମଧ୍ୟାହ୍ନ ୧୨ଟା ୩୦ରୁ ମଧ୍ୟାହ୍ନ ଭୋଜନ ଓ ନମାଜ ପାଇଁ ସର୍ଭେକୁ ବନ୍ଦ ରଖାଯାଇଥିବା ବେଳେ ପରେ ଅପରାହ୍ନ ସାଢ଼େ ୨ଟାରେ ପୁଣିଥରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା ।