ଭୁବନେଶ୍ୱର– ପତ୍ନୀଙ୍କୁ ହତ୍ୟା ମାମଲାରେ ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗୋ ହାଇକୋର୍ଟରୁ ଜାମିନ୍ ପାଇଛନ୍ତି । ପତ୍ନୀହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ରାମମୂର୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଭୁବନେଶ୍ୱର ଏଡିଜେ କୋର୍ଟ ପତ୍ନୀହତ୍ୟା ଅଭିଯୋଗରେ ରାମମୂର୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ସେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟ, ୧୯୯୫ ଅଗଷ୍ଟ ୨୯ ତାରିଖ ଗଣେଶ ପୂଜା ଦିନ ଶ୍ରୀ ଗମାଙ୍ଗ ଖାରବେଳନଗର ଥାନାରେ ପହଂଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍ଏଲ୍ଏ କଲୋନି କ୍ୱାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍ ରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି । ଗର୍ଭବତୀ ଥିବା ଶଶିରେଖା ବାଥରୁମ୍ ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ସେ ଥାନାରେ ଜଣାଇଥିଲେ । ଶଶିରେଖା ଶ୍ରୀ ଗମାଙ୍ଗଙ୍କର ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଅତ୍ମହତ୍ୟା ନୁହେଁ, ଏହା ହତ୍ୟାକାଣ୍ଡ ଜଣାପଡ଼ିବା ପରେ ଶ୍ରୀ ଗମାଙ୍ଗଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା । ଗତ ୨୪ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଥିଲା ।