କୋରେଇ- ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକକୁ ପଛରୁ ଏକ କଣ୍ଟେନର ଧକ୍କା ଦେବା ଫଳରେ କଣ୍ଟେନର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ମୂତାବକ, ଆଜି ସକାଳ ସମୟରେ ଉକ୍ତ ଆଇରନ ବୋଝେଇ ଟ୍ରକଟି ବ୍ରଜନଗର ନିକଟ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଭଦ୍ରକ ପଟୁ ଦ୍ରୁତ ଗତିରେ ଆସୁଥିବା ଏହି କଣ୍ଟେନର ଗାଡିଟି ହାଇଦ୍ରାବାଦରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ଆଇରନ ଟ୍ରକ ପଛରେ ଧକ୍କା ଦେଇଥିଲା। ଫଳରେ କଣ୍ଟେନରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ଆଇରନ ବୋଝେଇ ଟ୍ରକ ପଛରେ ଫସି ରହିଥିଲା। ଫଳରେ କଣ୍ଟେନର ଚାଳକ ଗାଡି ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ସହ ତାଙ୍କର ପ୍ରାଣହାନି ଘଟିଥିଲା। ଘଟଣାସ୍ଥଳରେ ଯାଜପୁର ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କଣ୍ଟେନର ଡୋର କାଟି ଗାଡି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ପାଣିକୋଇଲି ପୁଲିସ ଓ ରାଜପଥ ପାଟ୍ରୋଲିଂ ପୁଲିସ ସହଯୋଗରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ଵୟକୁ ଜବତ କରିଥିବା ଜଣାପଡିଛି।ମୃତକ ଡ୍ରାଇଭର ଜଣକ ହାଇଦ୍ରାବାଦ ଅଂଚଳର ଝୁନମୁନ ଚୌହାନ (୪୭) ବୋଲି ଜଣାପଡିଛି।