
ହରିଚନ୍ଦନପୁର – ପୁଣି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ କଳା ପଲସର ଆତଙ୍କ। ମହିଳାଙ୍କ ଠାରୁ ଝାମ୍ପି ନେଲେ ନଗଦ ୮ ଲକ୍ଷ ୫୦ ହଜାର ଟଙ୍କା । ମିଳିଥିବା ଖବର ଅନୁଯାୟୀ, ହରିଚନ୍ଦନପୁରର ତିନୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମୁଖ୍ୟ ତିନିଜଣ ମହିଳା ଟଙ୍କା ଉଠାଇବା ପାଇଁ ପୂର୍ବାହ୍ନ୧୧ଟା ସମୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଯାଇଥିଲେ । ଶୁକ୍ରବାର ଥିବାରୁ ବ୍ୟାଙ୍କ ଶାଖା ସମ୍ମୁଖରେ ବିଭିନ୍ନ ଲୋକଙ୍କ ଭିଡ଼ ରହିଥିବା ସୁଯୋଗ ନେଇ ତନ୍ମଧ୍ୟରେ ଲୁଟେରା ଟଙ୍କା ଉଠାଉଥିବା ଲୋକଙ୍କ ଉପରେ ନଜର ରଖୁଥିଲେ । ଠିକ୍ ସେହି ସମୟରେ ବ୍ୟାଙ୍କରୁ ଗୋଷ୍ଠୀର ତିନିଜଣ ମହିଳା ଲକ୍ଷ୍ମୀପ୍ରିୟା ସାହୁ, ନଳିନୀ ସାହୁ, ସୌଦାମିନୀ ବ୍ରହ୍ମ ଟଙ୍କା ଧରି ଘରକୁ ଫେରିଥିଲେ । ଫେରିବା ସମୟରେ କିଛି ଦୂରରେ ସୌଦାମିନୀଙ୍କ ଘର ଆସିବାରୁ ସେ ସେଠାରେ ରହିଗଲେ । ସେଠାରୁ କିଛି ଦୂର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ପ୍ରାୟ ୧୨ଟା ସମୟରେ ନଳିନୀଙ୍କ ସହ ଲକ୍ଷ୍ମୀପ୍ରିୟା ଟଙ୍କା ବ୍ୟାଗ୍ ଧରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ ଯୋଗେ ପଛପଟୁ ଆସି ଟଙ୍କା ବ୍ୟାଗ୍ ଧରିଥିବା ଲକ୍ଷ୍ମୀପ୍ରିୟାଙ୍କ ପଛରେ ଧକ୍କା ଦେଇଥିଲେ । ଧକ୍କା ଦେବା ଫଳରେ ଲକ୍ଷ୍ମୀପ୍ରିୟା ସେଠାରେ ତଳେ ପଡିଯାଇଥିଲେ ଓ ଟଙ୍କା ବ୍ୟାଗ୍ ଧରି ଲୁଟେରା ଖସି ପଳାଇବାରେ ସଫଳ ହୋଇଥିଲେ । ସାଥିରେ ଥିବା ନଳିନୀ ସବୁ ଦେଖିଥିଲେ ଏବଂ ପରେ ଭୟଭୀତ ହୋଇ ବଡ଼ ପାଟି କରି ଲୋକଙ୍କୁ ଡ଼ାକ ପକାଇଥିଲେ, କିନ୍ତୁ ଲୋକେ ଘରୁ ବାହାରିବା ବେଳକୁ ଲୁଟେରା ଘଟଣାସ୍ଥଳରୁ ପଳାଇଥିବା ସୂଚନା ଦେଇଛନ୍ତି । ପରେ ଥାନାରେ ଯାଇ ଲିଖିତ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ବାହାର କରି ଲୁଟେରାଙ୍କ ସନ୍ଧାନ ଖୋଜିବା ଆରମ୍ଭ କରିଛି । ଏହିଭଳି ଘଟଣା ପୂର୍ବରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ନିକଟରେ ବାରମ୍ବାର ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ କିଛି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ ।
ସୂଚନା ଥାଉ କି, ଗତ କିଛି ଦିନ ପୂର୍ବେ ଥାନା ସମ୍ମୁଖରେ ଥିବା ବିଇଓ ଅଫିସ୍ ଆଗରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ତାହାର କିଛି ସୁରାକ ପୋଲିସ ପାଇନଥିବା ବେଳେ ଏ ଘଟଣାରେ ପୋଲିସ କ’ଣ କରୁଛି, ତାହା ଦେଖିବାକୁ ବାକି ରହିଲା ।