ଭୁବନେଶ୍ୱର – ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସହିଦ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସୁଶାନ୍ତ କୁମାର ଖୁଂଟିଆ । ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କ ନାଁ ମୁନ୍ନା ଲାଲ ଯାଦବ । ତାଙ୍କ ଗୋଡ଼ରେ ଗୁଳି ବାଜିଛି ।
ସୂଚନା ଅନୁଯାୟୀ ସିଂହଭୂମରେ ସିଆରପିଏଫ୍ ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା ।
ନକ୍ସଲଙ୍କ ଗୁଳିମାଡ଼ରେ ମୁନ୍ନା ଲାଲ ଯାଦବ ମଧ୍ୟ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଆହତ ମୁନ୍ନାଙ୍କୁ ରାଂଚିର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସହିଦ ଖବର ପାଇବା ପରେ ସୁଶାନ୍ତଙ୍କ ପରିବାର ସମେତ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ପୂର୍ବରୁ କିଛି ବର୍ଷ ଅନ୍ତରରେ ସୁଶାନ୍ତଙ୍କ ବାପା ଓ ୨ ଭାଇଙ୍କ ମୃତ୍ୟୁ ଘଟିଛି । ତାଙ୍କ ବଡ଼ଭାଇ ମଧ୍ୟ ସିଆରପିଏଫ୍ ରେ ଥିବାବେଳେ୨ ବର୍ଷ ତଳେ ସେ ସହିଦ ହୋଇଥିଲେ । କିଛି ଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ଘଟିଥିଲା । ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନସରରେ ମୃତ୍ୟୁ ଘଟିଛି । ଦୁଇ ଭାଇ ଓ ବାପାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ପୈତୃକ ଘର ଛାଡ଼ି ଦେଇଥିଲେ । ସେହିପରି ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମା’ଙ୍କ ପାଖରେ ଅଛନ୍ତି ସୁଶାନ୍ତଙ୍କର ଜଣେ ଭଉଣୀ । ମାତ୍ର ୪ ମାସ ତଳେ ବିବାହ କରିଥିଲେ ସୁଶାନ୍ତ । ଏଏନ୍ ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରୁହନ୍ତି ।