-
ବାଡ କ୍ଷେତ ଖାଇବାର ପରିଣାମ ହେଉଛି ଫିରିଙ୍ଗିଆ ଘଟଣା : ବିଜେପି
ଭୁବନେଶ୍ୱର– ଫିରିଙ୍ଗିଆ ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ କାହିଁକି ? ଗଂଜେଇ ଥିବା ପୋଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ବିଜେପି ପ୍ରଶ୍ନ କରିଛି । ବାଡ କ୍ଷେତ ଖାଇବାର ପରିଣାମ ହେଉଛି ‘ଫିରିଙ୍ଗିଆ ଘଟଣା’ ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩ ତାରିଖ ରାତିରେ ୨ଜଣ ହୋମଗାର୍ଡ ଗଞ୍ଜେଇ ନେଇ ଯାଉଥିବା ଫିରିଙ୍ଗିଆ ଅଂଚଳର ସାଧାରଣ ଜନତା ଗୋଟିଏ ପୋଲିସ ଗାଡିକୁ ଅଟକାଇଥିଲେ । ସାଧାରଣ ଜନତା ସେମାନଙ୍କୁ ଅଟକାଇ ପଚାରିବାରୁ ସେମାନେ କହିଥିଲେ ଯେ, ଆଇଆଇସି ତପନ ନାହାକ ଗଞ୍ଜେଇ ବିକ୍ରି କରିବାକୁ ପଠାଇଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ସମସ୍ତ ପ୍ରମାଣ ସ୍ଥାନୀୟ ବାସିନ୍ଦା ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କି ଗଞ୍ଜେଇ ଗାଡିକୁ ଜବତ କରାଗଲା ନାହିଁ । ଏହାପରେ ଗତ ୫ତାରିଖ ଦିନ ସାଧାରଣ ଜନତା ଉଗ୍ରରୂପ ଧାରଣ କରି ଫିରିଙ୍ଗିଆ ଛକରେ ରାସ୍ତା ଅବରୋଧ କରିବା ସହ ଥାନାକୁ ନିଆଁ ଲଗାଇ ଧ୍ୱଂସ କରିଦେଲେ ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗତ କାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ବିଧାୟକ ସୁବାଷ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ସୁକାନ୍ତ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ବାସିନ୍ଦା, ପୋଲିସ ପ୍ରଶାସନ ଓ ଜିଲ୍ଲା ଏସପିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
ସ୍ଥାନୀୟବାସିନ୍ଦାଙ୍କ ଅଭିଯୋଗ କରିଛନ୍ତି ଫିରିଙ୍ଗିଆ ଅଂଚଳର ସରଳ ଓ ନିରୀହ ଆଦିବାସୀ ଭାଇ ଭଉଣୀମାନଙ୍କୁ ବାହାର ଅଂଚଳରୁ ଆସିଥିବା ମାଫିଆ ଓ ଦଲାଲ୍ମାନେ ଗଞ୍ଜେଇ ଚାଷ ପାଇଁ ପ୍ରବର୍ତାଉଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ପୋଲିସ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ପାଟଣା, ରାୟପୁର, ବିଶାଖାପାଟଣା, ହାଇଦ୍ରାବାଦ, ମୁମ୍ବାଇ ବିଭିନ୍ନ ଅଂଚଳକୁ ଏହି ଗଞ୍ଜେଇ ଚାଲାଣ ହେଉଛି । ଏ ଅଂଚଳରେ ଥାନା ପୋଡି ପ୍ରଥମ ନୁହେଁ । ଅତୀତରେ ଦୁଇ ଦୁଇ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ପୋଲିସ ପ୍ରଶାସନ କାହିଁକି ସତର୍କ ହୋଇ ପୋଲିସ ଫୋର୍ସ ମୁତୟନ କରିନଥିଲେ ? ଥାନା ପୋଡି ଘଟଣା ପରେ ପୋଲିସ ପ୍ରଶାସନ ଆକ୍ରୋଶମୁଳକ ଭାବେ ନିରୀହ ସାଧାରଣ ଜନତାଙ୍କୁ ଗିରଫ କରୁଛି । ଏପରିକି ବୃଦ୍ଧ, ମହିଳା, ଛାତ୍ର, ଦିବ୍ୟାଙ୍ଗଙ୍କୁ ମଧ୍ୟ ବାଦ୍ ଦିଆଯାଉନାହିଁ ଏବଂ ପୋଲିସ୍ର ଜୁଲମ୍ ଜାରୀ ରହିଛି । ଦୋଷୀ ପୋଲିସ ଉପରେ ଫୌଜଦାରୀ ମକଦ୍ଦମା ଲଗାଇ ଗିରଫ କରାଯାଉ । ଥାନା ପୋଡିରେ ସଂପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ସେ ଅଂଚଳରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଓ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।