କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ଶ୍ରୀକୃଷ୍ଣଙ୍କ ଚନ୍ଦ୍ରାବଳୀ କୁଞ୍ଜ ଗମନକୁ ନେଇ ବ୍ୟଥିତ ହୋଇପଡିଛନ୍ତି ଶ୍ରୀରାଧା। ତାଙ୍କ ଅଭିମାନକୁ ଭାଙ୍ଗିପାରିନାହାନ୍ତି ଲଳିତା-ବିଶାଖା ପରି ଅଷ୍ଟସଖୀ। ଶେଷରେ ରାଧାଙ୍କ ମାନଭଞ୍ଜନ ପାଇଁ ତାଙ୍କୁ ଛଦ୍ମବେଶରେ ରାଧାଙ୍କୁ କାଚ ପିନ୍ଧାଇବାକୁ ପଡ଼ିଛି,ମାଳ ପିନ୍ଧାଇବାକୁ ପଡ଼ିଛି ଏପରିକି ରାଧାଙ୍କ ଗୋଡ଼ରେ ଅଳିତା ଲଗାଇବାକୁ ପଡ଼ିଛି। ଶେଷରେ ମାନ ଭାଙ୍ଗିଛନ୍ତି ରାଧା।ପ୍ରଥମ ଓଡ଼ିଆ ଚଳଚିତ୍ର ସୀତା ବିବାହ ର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରଚିତ ରାସ “ମାନଭଞ୍ଜନ”, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଅନୁଷ୍ଠାନ ଆମର, ପୁରୀ ର ମିଳିତ ସହଯୋଗରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ସଫଳତା ର ସହ ମଞ୍ଚସ୍ଥ ହୋଇଛି। ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ଚମତ୍କାର ନିର୍ଦ୍ଦେଶନାରେ ଏହି ରାସକୁ ଦର୍ଶକ -ଶ୍ରୋତା ଦେଖି ଭାବବିହ୍ୱଳ ହୋଇଛନ୍ତି।ସକାଳେ ଟାଉନହଲ ଛକ ଠାରେ ସ୍ବର୍ଗିୟ ଦେବ ଗୋସ୍ୱାମୀଙ୍କ ୧୩୨ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତି ରେ ଗୀତିକାର ତଥା ରାସ ଅଭିନେତା ବଦ୍ରି ମିଶ୍ର , ନିର୍ଦ୍ଦେଶକ ବିକ୍ରମ ସାହୁ, ନୃତ୍ୟଶିଳ୍ପୀ ନାରାୟଣ ପାଣ୍ଡେ, ଗୁରୁ ଅଶୋକ ଦାସ, ଗୁରୁ ସୁରେନ୍ଦ୍ର ନାୟକ ପ୍ରମୁଖ ମାଲ୍ୟାର୍ପଣ ପ୍ରଦାନ କରିଥିଲେ। ସଂଧ୍ୟାରେ ଅନୁଷ୍ଠାନ ଆମର, ପୁରୀ ପକ୍ଷରୁ ଆୟୋଜିତ ନାଟକ ଉତ୍ସବ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରାକ୍ତନ ପ୍ରଶାସକ ବିନୋଦ ପଣ୍ଡା, ବରିଷ୍ଠ ସେବାୟତ ଭଗବାନ ସୁଆର, ଇ-୨୪ ର ପରିଚାଳନା ନିର୍ଦ୍ଦେଶକ ରାଜେଶ ମିଶ୍ର,ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ପୂଜାପଣ୍ଡା ଓ ଯୁବ ସମାଜସେବୀ ପ୍ରଦ୍ୟୁମ୍ନ ମିଶ୍ର ଅତିଥି ଭାବେ ଯୋଗଦେଇ ଓଡ଼ିଶା ର ସାଂସ୍କୃତିକ ବିକାଶ ରେ ମୋହନ ଗୋସେଇଁଙ୍କ ଅବଦାନ ର ସ୍ମୃତିଚାରଣ କରିଥିଲେ। ଗୀତିକାର ଆର୍ତ୍ତତ୍ରାଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସମୀର ଶତପଥୀ ସଞ୍ଚାଳନ କରିଥିଲେ ।