କାଠମାଣ୍ଡୁ , ନେପାଳରେ ମୂଷଳଧାରାରେ ବର୍ଷା ଲାଗିରହିଛି । ଚଳିତବର୍ଷ ନେପାଳରେ ବର୍ଷା ତାର ପ୍ରକୋପ ଦେଖାଇଛି । ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ସେହିପରି ଭୂସ୍ଖଳନ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଭସ୍ଖଳନ ଯୋଗୁ ୪୧ଜଣଙ୍କର ମୃତ୍ୟୁ ହୋଇଛି । ନେପାଳରେ ଜୁନ ମାସରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଦେଶର ପ୍ରାୟ ୫୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ୩୧ଜଣ ନିଖୋଜ ଥିବାର ସୂଚନା ମିଳିଛି । ସେହିପରି ନେପାଳର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଭୂସ୍ଖଳନ ଯୋଗୁ ୫୫ଜଣ ଆହତ ମଧ୍ୟ ହୋଇଛନ୍ତି । ବର୍ଷା ଯୋଗୁ ସଂଖୁଭାଭା, ତାପ୍ଲେଜୁଙ୍ଗ,ପାଞ୍ଚଥର, ମକଭାନପୁର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ମହୋତ୍ତରୀ ଜିଲ୍ଲାରେ ବନ୍ୟା ଯୋଗୁ କିଛି ଲୋକ ଭାସିଯାଇଛନ୍ତି । ଏବେ ସୁଦ୍ଧା ୧୩୦ଘର ସମ୍ପର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୯୩ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ଚଳିତ ବର୍ଷ ନେପାଳରେ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ମାତ୍ର କିଛି ଜିଲ୍ଲାରେ ଲଗାଣ ବର୍ଷ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି ।