ସମ୍ବଲପୁର,ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଆଜି ପୂର୍ବାହ୍ନରେ ୧୦ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ଏବେ ମୋଟ୍ ୧୦ ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଡ଼୍ୟାମ୍ ର ବାମ ପାର୍ଶ୍ଵ ଡାଇକ୍ ର ୭ଟି ଓ ଡାହାଣ ପାର୍ଶ୍ଵ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୬ ହଜାର ୦୩୨ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୧୦ଟି ସ୍ଲୁଇସ୍ ଗେଟ୍, ଅନ୍ୟାନ୍ୟ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୩ ହଜାର ୬୩୬ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତନ ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ୬୧୭.୫୨ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଂଟାରେ ଜଳ ଭଣ୍ଡାରର ଉପର ମୁଣ୍ଡରେ ୧.୩୩ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୦.୬୬ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବା ଆରମ୍ଭ ହୋଇଛି ।