ରାଉରକେଲା, ରାଉରକେଲା ସହରର ସର୍ବ ପୁରାତନ ତଥା ୧୦୦ ବର୍ଷର ଏକ ହାଇସ୍କୁଲ ପାନପୋଷ ନୋଡାଲ ହାଇସ୍କୁଲରେ ଦୀର୍ଘ ୧୦ ବର୍ଷ ଧରି ପ୍ରଧାନଶିକ୍ଷକ ରଖାନଯାଇ କେବଳ ସହକାରୀ ଶିକ୍ଷକ ମାନଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ଵରେ ରଖାଯାଉଥିବା ବେଳେ ପ୍ରଧାନଶିକ୍ଷକ ମାନଙ୍କର ଏଠାକୁ ବଦଳି ହେବା କ୍ଷଣି ରାତା ରାତି ତାଙ୍କୁ ଅନ୍ୟତ୍ର ପଠାଇଦେବା ଓ ଗତ ମାସ ୩୧ ତାରିଖରେ ଅବସର ନେଇଥିବା ଜଣେ ପ୍ରଧାନଶିକ୍ଷୟତ୍ରୀଙ୍କୁ ସେହି ଅବସର ଦିନ ପାନପୋଷ ହାଇସ୍କୁଲକୁ ବଦଳି କରିବା ଓ ସେଠାରେ ସେ ପ୍ରଧାନ ଶିକ୍ଷୟତ୍ରୀ ଯୋଗଦାନ ନକରି ଅବସର ନେବା ଘଟଣା, ସଂପ୍ରତି ଏହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ନକରାଯିବା, ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଅବହେଳା କରାଯିବା କଥା ପୁଣିଥରେ ପଦାରେ ପଡିଛି । ଏହା ଛଡା ମୁଁ ଫାଇଭ-ଟି ଙ୍କ ଲୋକ ମୁଁ ଯାହା ଚାହଁବି ତାହା କରିବି କହି ଶିକ୍ଷା ବିଭାଗରେ ଏଭଳି ମନମାନି ଚଳାଇଥିବା ଲୋକ ଜଣକ କିଏ ତାକୁ ଖୋଜି ବାହାର କରି ସରକାରକୁ ବଦନାମ କରୁଥିବା ଏଭଳି ଲୋକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପୁଣିଥରେ ଦାବି ଉଠିଛି ।
ଅଭିଯୋଗରୁ ପ୍ରକାଶ ଯେ, ଏହି ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ପ୍ରଧାନ ଶିକ୍ଷକ ରଖାନଯାଇ ସହକାରୀ ଶିକ୍ଷକ ମାନଙ୍କୁ ନେଇ କାମ ଚଳା ଚାଲିଛି । ଏହାଦ୍ଵାରା ଅତିତରେ ଜଣେ ପିଲା ମାଟ୍ରିକ ପରୀକ୍ଷା ଦେବାରୁ ବଂଚିତ ହେବାକୁ ଯାଉଥିବା ବେଳେ ସେ ସମୟର ଜିଲ୍ଲାପାଳଙ୍କ ଲାଗି କଥାର ସମାଧାନ ହୋଇଥିଲା ଓ କାମଚଳା ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଥିଲେ । ପରେ ପୁଣି ସେହି କଥା ହେଲା ପୁଣି ଜଣେ କନିଷ୍ଠଙ୍କୁ ଏଠି ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵରେ ରଖାଗଲା । ବାରମ୍ବାର ଦାବି ପରେ ଜଣକୁ ଏଠାକୁ ପ୍ରଧାନ ଶିକ୍ଷକ ଭାବେ ପଠାଯିବା ପରେ ପୁଣି ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଗଲା । ଗତ ମାସ ୩୧ ତାରିଖରେ ଶିକ୍ଷା ବିଭାଗର ଆଦେଶନାମା ୧୮୪୦୯ ରେ ନର୍ମଦା ସ ଙ୍କୁ ସିରିଏଲ ନମ୍ବର ୭ରେ ପାନପୋଷ ନୋଡାଲ ହାଇସ୍କୁଲକୁ ପଠାଯାଇଥିଲା, କିନ୍ତୁ ଶ୍ରୀମତୀ ସ ୩୧ ଜୁଲାଇରେ ଅବାସର ନେଇଗଲେ । ଏହାଦ୍ଵାରା ବୁଝାପଡିଲା ଯେ, କେବଳ ସରକାରୀ ନିୟମକୁ ଆଖିଠାର ମାରିବାକୁ ଯାଇ ନାମକୁ ମାତ୍ର ପାନପୋଷକୁ ପ୍ରଧାନ ଶିକ୍ଷକ ପଠା ଚାଲିଛି କିନ୍ତୁ, ସେମାନେ ଯୋଗଦାନ କରିପାରୁନାହାନ୍ତି, ଖାଲି ସେତିକି ନୁହେଁ ଖାଲି ପଡିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଲିକାରେ ଏହି ବିଦ୍ୟାଲୟର ନାମ ମଧ୍ୟ ଉଲ୍ଲେଖ କରାଯାଉନାହିଁ । ତେବେ ଏଭଳି କାରବାର ପଛରେ କାହାର କି ପ୍ରକାର ମହତ ଉଦ୍ଦେଶ୍ୟ ରହୁଛି, ସେଥିରେ କିଏ ଲାଭବାନ ହେଉଛି, ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟଟିକୁ ଏଭଳି ଅବହେଳା କରି ତାଙ୍କୁ କିପ୍ରକାର ଫାଇଦା ମିଳୁଛି ସେ ଏଭଳି ପ୍ରହସନ କାହିଁକି ଚଳାଇଛନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ଖବରରୁ ଜଣାପଡିଛି ଯେ, ଜଣେ ବାବୁ ନିଜକୁ ଫାଇଭ-ଟି ଲୋକ ଏବଂ ମୁଖ୍ୟମନ୍ତ୍ରୀ ଅଫିସ ସହ ତାଙ୍କର ସଂପର୍କ ଭାରି ଭଲ ସେ ଯାହା ଚାହିଁବେ ତାହା କରିବେ କହି ଏଭଳି ଖେଳ ଖେଳୁଥିବା କଥା ଆଲୋଚନା ଚାଲିଛି । ଏଭଳି କାରବାର ଲାଗି ପ୍ରାଥମିକ ଠାରୁ ହାଇସ୍କୁଲ ନେଇ ଶହ ଶହ ପିଲାଙ୍କର ଏହି ବିଦ୍ୟାଳୟରେ ନାନା ପ୍ରକାର ଆର୍ଥିକ, ପ୍ରଶାସନିକ ଓ ପାଠ ପଢା ବିଷୟ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି । ଓଡିଶାର ମୁଖ୍ୟମନ୍ତ୍ରୀ ସବୁବେଳେ ଶିକ୍ଷା ବିଭାଗ ପ୍ରତି ଯତ୍ନବାନ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଫାଇଭ-ଟି ସଚିବ ଅନେକ ସହଯୋଗ କରୁଛନ୍ତି କିନ୍ତୁ, ତାଙ୍କ ନାମ କହି ଫାଇଭ-ଟି ଙ୍କ ନାମକୁ ଖୋଲା ଖୋଲି ବ୍ୟବହାର କରି ଏଭଳି କାରବାର ଚଳାଇଥିବା ଲୋକକୁ ତୁରନ୍ତ ଧରିବା ସହ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ବିଦ୍ୟାଳୟକୁ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ଯୋଗାଇଦେବା ଲାଗି ଦାବି ହେଉଛି ।