ଭୁବନେଶ୍ୱର, ସ୍ମାର୍ଟ ସିଟି ନାଁରେ ଉଠା ଦୋକାନ ଭଙ୍ଗା ବନ୍ଦ କରିବା ଏବଂ ସେମାନଙ୍କୁ ଭେଣ୍ଡିଂ ଜୋନ ଓ ଅନ୍ୟ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ଦାବିରେ ମଙ୍ଗଳବାର ଏଆଇଟିୟୁସି ସହ ଅନୁବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ତରଫରୁ ସ୍ମାର୍ଟ ସିଟି ଅଫିସ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହିତ ଜେନେରାଲ ମ୍ୟାନେଜରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପୂର୍ବାହ୍ନରେ ଅଶୋକନଗର, ବାୟାବାବା ମଠ ଛକ ଗଳି ଅଂଜଳର ଶହ ଶହ ଉଠା ଦୋକାନୀ ସତ୍ୟନଗରଠାରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ବିଏମ୍ସି ପରିସର ମଧ୍ୟରେ ଥିବା ସ୍ମାର୍ଟ ସିଟି ଜେନେରାଲ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ପହଂଚିଥିଲେ । ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା ଧାରଣାକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ- ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ମାର୍ଟ ସିଟି ନାଁରେ ସେମାନଙ୍କୁ ଥଇଥାନ କରିବା ପରିବର୍ତେ ଉଚ୍ଛେଦ ଚାଲିଛି ।
ଏହାପରେ ସୁର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ମାର୍ଟ ସିଟି ଜେନେରାଲ ମ୍ୟାନେଜରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉକ୍ତ ସ୍ମାରକପତ୍ରରେ ଅଶୋକନଗର ଓ ବାୟାବାବା ମଠ ଛକ ଗଳି ଅଂଚଳର ଉଠା ଦୋକାନୀମାନଙ୍କୁ ରାଜମହଲଠାରୁ ରାମମନ୍ଦିର ମଧ୍ୟରେ ଥିବା ଭେଣ୍ଡିଂ ଜୋନରେ ଏବଂ ଅନ୍ୟମାନଙ୍କୁ ନିଜ ଅଂଚରେ ଥଇଥାନ କରିବା; ୬୭ଟି ୱାର୍ଡରେ ଠେଲା ଦୋକାନୀଙ୍କ ପାଇଁ ୬୭ଟି ସ୍ଥାନ ଚିହ୍ନଟ କରିବା ଏବଂ ସେ ପର୍ଯ୍ୟନ୍ତ ଦୋକାନ ଭଙ୍ଗା ବନ୍ଦ ରଖିବା ପାଇଁ ଦାବି କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ବାରିକ, ବଟକୃଷ୍ଣ ସାହୁ, ଅଶୋକ ବାରିକ, ଦେବେନ୍ଦ୍ର ସାହୁ, ଭରତ ସାହୁ, ଅନ୍ନପୂର୍ଣ୍ଣା ପ୍ରଧାନ, ଶଶିକାନ୍ତ ସାହୁ, ଜଗା ପ୍ରଧାନ, ଅଭୟ ପଣ୍ଡା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।