ନୂଆଦିଲ୍ଲୀ, ଦେଶରେ ବ୍ୟାଙ୍କର ପ୍ରକଳ୍ପ ଗୁଡ଼ିକର ପରିବର୍ତନମୂଳକ ପ୍ରଭାବ ବୁଝିବା ପାଇଁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ଗସ୍ତର ଏକ ଅଂଶ ବିଶେଷ ଭାବରେ ୫ ଅଗଷ୍ଟ ୨୦୨୩ରେ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ (ଏନ୍ଏମ୍ସିଜି)ର ମହାନିର୍ଦ୍ଦେଶକ ଶ୍ରୀ ଜି. ଅଶୋକ କୁମାର ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନଙ୍କୁ ନମାମି ଗଙ୍ଗେ ପ୍ରକଳ୍ପ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିଶ୍ୱ ବ୍ୟାଙ୍କ, ଭାରତର ରାଷ୍ଟ୍ର ନିର୍ଦ୍ଦେଶକ ଶ୍ରୀ ଅଗଷ୍ଟ କୌଆମେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ବିଶ୍ୱ ବ୍ୟାଙ୍କ ଗ୍ରୁପର ୯ ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , ଶ୍ରୀ ଜ୍ୟାକ୍ କୁର୍ସ୍କି, ପୋଲାଣ୍ଡ; ଖାଲିଦ ବାୱାଜିର, ସାଉଦି ଆରବ; ଜୈନବ ଶାମସୁନା ଅହମ୍ମଦ, ନାଇଜେରିଆ; ଶ୍ରୀ ଜୁନହୋଙ୍ଗ ଚାଙ୍ଗ, ଚାଇନା; ଶ୍ରୀ ଏରିଭାଲଡୋ ଗୋମ୍ସ, ବ୍ରାଜିଲ୍ ; ଶ୍ରୀ ଅର୍ନେଷ୍ଟୋ ଆସେଭେଡୋ, ମେକ୍ସିକୋ ; ଶ୍ରୀମତୀ ସିସିଲିଆ ନୋହାନ, ଆର୍ଜେଣ୍ଟିନା ; ଏବଂ ଶ୍ରୀ ରବିନ୍ ଟାସ୍କର, ୟୁନାଇଟେଡ୍ କିଙ୍ଗଡମ୍, ଏନଏମସିଜିର ଅର୍ଥ ବିଭାଗର ଇଡି ଭାସ୍କର ଦାସଗୁପ୍ତା ଏବଂ ଏନ୍ଏମ୍ସିଜିର ବୈଷୟିକ ବିଭାଗର ଇଡି ଡି. ପି, ମାଥୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସିଦ୍ଧ ତାଜମହଲ ପରିଦର୍ଶନର ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ବୈଠକରେ, ନଦୀ ପୁନରୁଦ୍ଧାରର ବିଭିନ୍ନ ଦିଗ ଏବଂ ବିଶ୍ୱ ବ୍ୟାଙ୍କର ଭୂମିକା ଉପରେ ବିଶ୍ୱ ବ୍ୟାଙ୍କ ଇଡିମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଭାରତ ଜଳ ସୁରକ୍ଷିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ପରିବର୍ତ୍ତନମୂଳକ ସଂସ୍କାର ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ, ବିଶେଷ କରି ନମାମି ଗଙ୍ଗେ ମିଶନ ଅଧୀନରେ ଜଳ କ୍ଷେତ୍ରର ବିକାଶକୁ ଇଡିମାନେ ପ୍ରଶଂସା କରିଥିଲେ । ସେମାନେ ପ୍ରଶଂସା କରି କହିଥିଲେ ଯେ, ଏନ୍ଏମ୍ସିଜି ବ୍ୟକ୍ତି ବିଶେଷ, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଏବଂ ନାଗରିକ ସମାଜ ସମେତ ଏକାଧିକ ଅଂଶୀଦାର ମାନଙ୍କ ସହ ଜନଭାଗିଦାରିତାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି , ଯାହା ନଦୀ ପୁନରୁଦ୍ଧାରରେ ଏକ ବିଶ୍ୱସ୍ତରୀୟ ନାମ ପାଲଟିଛି । ଇଡିମାନେ ନେତୃତ୍ୱର ଦୂରଦୃଷ୍ଟିର ସ୍ପଷ୍ଟତାକୁ ପ୍ରଶଂସା କରିଥିଲେ ଏବଂ ହାମ୍ ମଡେଲ୍, ୱାନ୍ ସିଟି ୱାନ୍ ଅପରେଟର ମଡେଲ୍, ଅର୍ଥ ଗଙ୍ଗା ପଦକ୍ଷେପ ଏବଂ ନମାମି ଗଙ୍ଗେ ମିଶନ ଅଧୀନରେ କରାଯାଇଥିବା ଜନଭାଗିଦାରୀ ପ୍ରୟାସ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ।
ନମାମି ଗଙ୍ଗେ କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥି ମାନଙ୍କୁ ବିସ୍ତୃତ ଉପସ୍ଥାପନା କରି ଶ୍ରୀ ଜି. ଅଶୋକ କୁମାର କହିଥିଲେ ଯେ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜଳ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ସ୍ୱୀକୃତି ପାଇଛି ଏବଂ ଗତ ୭- ୮ ବର୍ଷ ମଧ୍ୟରେ ଜଳ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି । ୨୦୧୯ ମସିହାରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗକୁ ଏକାଠି କରି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଥିଲା, ଯାହା ଦ୍ୱାରା ବିନା ବିବାଦରେ ଶୀଘ୍ର ନିଷ୍ପତ୍ତି ନିଆ ଯାଇପାରିବ । ଜଳ କ୍ଷେତ୍ରର କେତେକ ପ୍ରମୁଖ ପଦକ୍ଷେପ ମଧ୍ୟରେ ଜଳ ଜୀବନ ମିଶନ, ଯାହା ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘରୋଇ ନଳ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି, ଅଂଶଗ୍ରହଣମୂଳକ ଆଭିମୁଖ୍ୟ ମାଧ୍ୟମରେ ଭୂତଳ ଜଳର ପ୍ରଭାବଶାଳୀ ପରିଚାଳନା ପାଇଁ ଅଟଳ ଭୂଜଳ ଯୋଜନା ଏବଂ ସ୍ୱଚ୍ଛ ଭାରତ ଅଭିଯାନ, ଯାହାର ଏକ ଅଂଶ ଭାବରେ ୧୦୦ ନିୟୁତରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ଯାହା ସମସ୍ତଙ୍କ ପାଇଁ ପରିମଳ ଦିଗରେ ବିଶ୍ୱର ବୋଝ ଦୂର କରି ଦେଇଛି ।
ଏନଏମସିଜିର ଡିଜି ସୂଚନା ଦେଇଛନ୍ତି ଯେ, ବର୍ଷା ଜଳର ବିକେନ୍ଦ୍ରୀକୃତ ସଂରକ୍ଷଣ (ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ) ପାଇଁ ଆରମ୍ଭ ହୋଇଥିବା କ୍ୟାଚ୍ ଦ ରେନ୍ : ହୋୟାର ଇଟ୍ ଫଲ୍ସ, ହ୍ୱେନ୍ ଇଟ୍ ଫଲ୍ସ ଅଭିଯାନ ଆରମ୍ଭ ହୋଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ବର୍ଷା ଜଳ ସଂରକ୍ଷଣ ସଂରଚନା ନିର୍ମାଣ କରାଯାଇଥିଲା ।
ନମାମି ଗଙ୍ଗେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଏହା କେବଳ ଗଙ୍ଗା ନଦୀକୁ ସଫା କରିବା ପାଇଁ ନୁହେଁ , ବରଂ ଜନସାଧାରଣଙ୍କ ଭାଗିଦାରୀ ମାଧ୍ୟମରେ ଏହାର ସମଗ୍ର ନଦୀକୂଳ ପରିବେଶକୁ ପୁନରୁଦ୍ଧାର କରିବା ପାଇଁ ଏକ ସାମଗ୍ରିକ ଏବଂ ସମନ୍ୱିତ ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଟେ । ନିର୍ମଳ ଗଙ୍ଗା (ଅଣପ୍ରଦୂଷିତ ନଦୀ), ଅବିରଳ ଗଙ୍ଗା (ଅବାଧ ପ୍ରବାହ), ଜନ ଗଙ୍ଗା (ଜନଭାଗିଦାରୀ), ଜ୍ଞାନ ଗଙ୍ଗା (ଜ୍ଞାନ ଓ ଗବେଷଣା ଭିତ୍ତିକ ହସ୍ତକ୍ଷେପ) ଏବଂ ଅର୍ଥ ଗଙ୍ଗା (ଅର୍ଥନୀତିର ସେତୁ ମାଧ୍ୟମରେ ଜନ – ନଦୀ ସଂଯୋଗ) ଭଳି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ନମାମି ଗଙ୍ଗେ ଆଧାରିତ । ପାଖାପାଖି ୪.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୪୪୨ଟି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ମଧ୍ୟରୁ ୧୯୩ଟି ନର୍ଦ୍ଦମା ପରିଚାଳନା ସହ ଜଡ଼ିତ ବୋଲି ସେ ସୂଚନା ଦେଇଛନ୍ତି । ଏନ୍ଏମ୍ସିଜିର ୫ ସ୍ତରୀୟ ଢାଞ୍ଚା ବିଷୟରେ ବର୍ଣ୍ଣନା କରି ସେ କାନପୁର (୨୦୧୯) ଏବଂ କୋଲକାତା (୨୦୨୨)ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଗଙ୍ଗା ପରିଷଦ ବୈଠକ ବିଷୟରେ ଆଲୋଚନା କରିଥିଲେ ଏବଂ ନମାମି ଗଙ୍ଗେ କାର୍ଯ୍ୟକ୍ରମ ପ୍ରତି ଅତୁଟ ରାଜନୈତିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସେ କହିଥିଲେ ଯେ , ପ୍ରାକୃତିକ ବିଶ୍ୱକୁ ପୁନରୁଦ୍ଧାର କରିବା ପାଇଁ ନମାମି ଗଙ୍ଗେ ପ୍ରକଳ୍ପକୁ ବିଶ୍ୱର ଶ୍ରେଷ୍ଠ ଦଶଟି ପ୍ରମୁଖ ପୁନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଭାବରେ ଚୟନ କରାଯାଇଛି । ସମଗ୍ର ବିଶ୍ୱରେ ୧୬୦ରୁ ଅଧିକ ପରିବେଶ ପୁନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟରୁ ମନୋନୀତ ନମାମି ଗଙ୍ଗେକୁ ୧୩ ଡିସେମ୍ବର ୨୦୨୨ରେ ଜୈବିକ ବିବିଧତା ଉପରେ ଜାତିସଂଘ ସମ୍ମିଳନୀ (ସିଓପି ୧୫) ସମୟରେ କାନାଡାର ମଣ୍ଟ୍ରିଲଠାରେ ପୁରସ୍କୃତ କରାଯାଇଥିଲା । ମାର୍ଚ୍ଚ ୨୦୨୩ରେ ନ୍ୟୁୟର୍କ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ବିଶ୍ୱ ଜଳ ସମ୍ମିଳନୀରେ ଅଂଶଗ୍ରହଣ କରିବାରେ ଏନ୍ଏମ୍ସିଜି ଭାରତର ଏକମାତ୍ର ସଂସ୍ଥା ଥିଲା ।
ସେ କହିଛନ୍ତି ଯେ, ଗାଙ୍ଗେୟ ଡଲ୍ଫିନ୍ ଏବଂ ସ୍ଥାନୀୟ ମାଛ ଭଳି ଜଳଜ ପ୍ରଜାତିର ବୃଦ୍ଧି ପାଉଥିବା ଦୃଶ୍ୟପଟ୍ଟ ଏବଂ ସମୃଦ୍ଧି ଗଙ୍ଗା ନଦୀରେ ଜଳର ଉନ୍ନତ ଗୁଣବତ୍ତା ସମ୍ପର୍କରେ ସୂଚନା ଦେଉଛି । ୨୦୧୪ରେ ପଞ୍ଚମ ବର୍ଗରେ ୨ଟି ଏବଂ ଦ୍ୱିତୀୟ ଓ ତୃତୀୟ ବର୍ଗରେ ଗୋଟିଏ ଲେଖାଏଁ ପ୍ରଦୂଷିତ ଅଞ୍ଚଳ ରହିଥିଲା । ତୁଳନାତ୍ମକ ଭାବେ ୨୦୨୩ରେ ହରିଦ୍ୱାରରୁ ସୁଲତାନପୁର ଏବଂ ବକ୍ସରରୁ ଭାଗଲପୁର ପର୍ଯ୍ୟନ୍ତ ଦୁଇଟି ସ୍ଥାନ ଏବେ ‘ଅଣପ୍ରଦୂଷିତ\’ ହୋଇଛି ଏବଂ ପଞ୍ଚମ ବର୍ଗରେ (କନୌଜରୁ ବାରଣାସୀ ଏବଂ ତ୍ରିବେଣୀରୁ ଡାଇମଣ୍ଡ ହାର୍ବର)ର ଅବଶିଷ୍ଟ ଦୁଇଟି ସ୍ଥାନ ସାମାନ୍ୟ କିଛି ପଏଣ୍ଟରେ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଛି ।
ଏନ୍ଏମ୍ସିଜିର ଡିଜି ନମାମି ଗଙ୍ଗେ ଅଧୀନରେ ଗଙ୍ଗା ଅବବାହିକାରେ ନର୍ଦ୍ଦମା ପରିଚାଳନା ପ୍ରକଳ୍ପ ପାଇଁ ବ୍ୟବହୃତ ହାଇବ୍ରିଡ୍ ଆନୁଇଟି ମଡେଲ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି ମଡେଲ ଅଧୀନରେ ସ୍ଥାନୀୟ ସ୍ତରରେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ଦ୍ୱାରା ଏସଟିପିର ବିକାଶ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରାଯାଏ । ଏହି ମଡେଲ ଅନୁଯାୟୀ, ନିର୍ମାଣ ସମୟରେ ପୁଞ୍ଜି ଖର୍ଚ୍ଚର ୪୦% ଏବଂ ଅବଶିଷ୍ଟ ୬୦% ଖର୍ଚ୍ଚ ଆଗାମୀ ୧୫ ବର୍ଷ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ (ଓଆଣ୍ଡଏମ) ସହିତ ବାର୍ଷିକ ଭାବରେ ପ୍ରଦାନ କରାଯିବ । ବାର୍ଷିକତା ଏବଂ ଓଆଣ୍ଡଏମ ଦେୟ ଏସଟିପିର କାର୍ଯ୍ୟଦକ୍ଷତା ସହିତ ସଂଯୁକ୍ତ । ଏହା ଦ୍ୱାରା ଉନ୍ନତ ଉତ୍ତରଦାୟିତ୍ୱ, ମାଲିକାନା ଏବଂ ସର୍ବୋତ୍ତମ ପ୍ରଦର୍ଶନ ଯୋଗୁଁ ସୃଷ୍ଟି ହୋଇଥିବା ସମ୍ପତ୍ତିର ନିରନ୍ତର ପ୍ରଦର୍ଶନ ସୁନିଶ୍ଚିତ ହେବ । ମୋଟ ୩୨ଟି ହାମ୍,ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ତାହା ମଧ୍ୟରୁ ୭ଟି ପ୍ରକଳ୍ପକୁ ବିଶ୍ୱ ବ୍ୟାଙ୍କ ପାଣ୍ଠି ଯୋଗାଉଛି । ଏନ୍ଏମ୍ସିଜିର ଡିଜି କହିଛନ୍ତି, ଏହା କାର୍ଯ୍ୟଦକ୍ଷତା ଭିତ୍ତିକ ଚୁକ୍ତି ଏବଂ ଉନ୍ନତ ଶାସନକୁ ସୁନିଶ୍ଚିତ କରେ ।
ନଭେମ୍ବର ୨୦୨୧ରେ ୩୦ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ନମାମି ଗଙ୍ଗେ ପ୍ରକଳ୍ପ ଅଧୀନରେ ରିଭର – ସିଟି ଆଲାଏନ୍ସ/ ନଦୀ – ସହର ଗଠବନ୍ଧନ (ଆରସିଏ) ପଦକ୍ଷେପ ଉପରେ ମଧ୍ୟ ଶ୍ରୀ କୁମାର ବକ୍ତବ୍ୟ ରଖିଥିଲେ । ଏବେ ଅନ୍ତର୍ଜାତୀୟ ସହର ଆରହୁସ୍ ସମେତ ୧୪୨ ଜଣ ସଦସ୍ୟଙ୍କୁ ନେଇ ଆରସିଏ ସହରାଞ୍ଚଳ ନଦୀ ଗୁଡିକର ସ୍ଥାୟୀ ପରିଚାଳନା ପାଇଁ ବିଚାର, ଆଲୋଚନା ଏବଂ ସୂଚନା ଆଦାନ ପ୍ରଦାନ ନିମନ୍ତେ ଏକ ବାଞ୍ଛିତ ପ୍ଲାଟଫର୍ମ ପାଲଟିଛି । ଆର୍ସିଏ ଗ୍ଲୋବାଲରେ ଦୂତାବାସର ଉଚ୍ଚ ପଦସ୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ମାଞ୍ଚେଷ୍ଟର, ଆରହୁସ୍, କୋପେନ୍ ହେଗେନ୍ ଏବଂ ହାମବର୍ଗ ସହର ମାନଙ୍କରେ ପ୍ରବାହିତ ନଦୀଗୁଡ଼ିକୁ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ବ୍ୟବହାର କରିବା ପାଇଁ ସେମାନଙ୍କ ପ୍ରୟାସ ବିଷୟରେ ଉପସ୍ଥାପନା କରିଥିଲେ ।.