ଭୁବନେଶ୍ୱର ,ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ । ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ । ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ । ପୁରାତନ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Related Stories
November 22, 2024