-
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁବ ସମାଜକୁ ଯେଉଁ ନବାଚାର, ନୂତନତ୍ୱ ଓ ଚରିତ୍ର ନିର୍ମାଣର ବାର୍ତ୍ତା ଦେଉଛି, ତା’ଠୁ ବଡ ଶିକ୍ଷା କିଛି ହୋଇନପାରେ- ଧର୍ମେନ୍ଦ୍ର ପ୍ରଧାନ
-
ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ
-
ପ୍ରଦର୍ଶନୀ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଅଭିନବ ଉପକରଣ ଓ ପଦ୍ଧତିକୁ ପ୍ରଶଂସା କଲେ
-
ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍, ନିରାପଦ ଡଙ୍ଗା, ଆମ୍ବ ଟାକୁଆରୁ ଗଛ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତି ବୁଝାଇବାର ଶୈଳିକୁ କଲେ ପ୍ରଶଂସା
-
ସ୍ୱଭାବକବି ଗଙ୍ଗାଧର ମେହେର, ସନ୍ଥ କବି ଭୀମ ଭୋଇ, ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ହାତୀ ସିଂହଙ୍କ ବିଚାର ଓ ତ୍ୟାଗର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ
-
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା, ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ
-
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇ ଗବେଷଣାରେ ଆଗକୁ ନେବା
-
ଜାତୀୟ ଶିକ୍ଷା ନୀତିରେ 3 ବର୍ଷରୁ 8 ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢାଇବାର ବ୍ୟବସ୍ଥା ହୋଇଛି,ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି
-
ଅମୃତକାଳରେ ଭାରତର ଅମୃତବିନ୍ଦୁ ଭାବରେ ଏହି ଅନୁଷ୍ଠାନ ବିକଶିତ ଭାରତ ପାଇଁ ବଡ ଦାୟିତ୍ୱ ନେବ
-
ଏପିଜେ ଅବଦୁଲ କଲାମ ନିଜ ମାତୃଭାଷା ତାମିଲ ଭାଷାରେ ପାଠପଢି ବଡ ବୈଜ୍ଞାନିକ ହୋଇଥିଲେ
-
ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି, ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ
-
ବିଶ୍ୱବିଦ୍ୟାଳୟକୁ ଭାରତବର୍ଷର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ଦାୟିତ୍ୱ ନେବା
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା । ଅନେକ ଶିକ୍ଷାନୁଷ୍ଠାନ ଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ । ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ । ଆଜି ସେହି ଶିକ୍ଷା ରୂପକ ମନ୍ଦିରକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଏବଂ ଦୀର୍ଘ 30 ବର୍ଷ ପୂର୍ବରୁ ଶିକ୍ଷାନୁଷ୍ଠାନ ସହ ଥିବା ସ୍ମୃତିକୁ ମନେପକାଇ ପାରୁଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବନା, ସନ୍ଥ କବି ଭୀମ ଭୋଇ ଓ ବୀର ସୁରେନ୍ଦ୍ର ସାଏଙ୍କ ବିଚାର ଏବଂ ମାଧୋ ସିଂହ ଓ ହାତୀ ସିଂହଙ୍କ ତ୍ୟାଗର ଉଦାହରଣ ଦେଇଥିଲେ ।
ଏହାବ୍ୟତିତ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି । 3 ବର୍ଷରୁ 8 ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢାଇବାର ବ୍ୟବସ୍ଥା ହୋଇଛି । ମାତୃଭାଷାରେ ଶିକ୍ଷା ନେଇ ସେ କହିଛନ୍ତି ଯେ ଏପିଜେ ଅବଦୁଲ କଲାମ ନିଜ ମାତୃଭାଷା ତାମିଲ ଭାଷାରେ ପାଠପଢି ବଡ ବୈଜ୍ଞାନିକ ହୋଇଥିଲେ । ଚୀନ ଜାପାନ ଭଳି ବିକଶିତ ରାଷ୍ଟ୍ର ମାତୃଭାଷା ପାଇଁ ନିଜ ସଫଳତା ହାସଲ କରିଛନ୍ତି । ସେ ସମୟରେ ହୀରାକୁଦର ମାଟିବନ୍ଧ ବନାଇଥିବା ଲୋକମାନେ ଇଂରାଜୀ ଭାଷା ଜାଣିନଥିଲେ ।
ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି । ଆଜିର ଉଭା ହେଉଥିବା ଟେକ୍ନୋଲୋଜି ସମୟରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଭାରତବର୍ଷର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ଦାୟିତ୍ୱ ନେବା । ଜାତୀୟ ଶିକ୍ଷା ନୀତି ଆଧାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ବନାଇବା ସହ ଦକ୍ଷତା ବୃଦ୍ଧି କରି ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରୟାସ କରିବା । ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ଭାରତ ପାଇଁ ବଡ ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ଏହାସହ ଜାତୀୟ ଶିକ୍ଷା ନୀତି କନକ୍ଲେଭ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଅଭିନବ ଉପକରଣ ଓ ପଦ୍ଧତିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିରାପଦ ଡଙ୍ଗା ପ୍ରସ୍ତୁତ କରୁଛନ୍ତି । ଛୋଟ ପିଲାମାନଙ୍କ ଦ୍ୱାରା ଆମ୍ବ ଟାକୁଆରୁ ଆମ୍ବ ଗଛ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିକୁ ପ୍ରଦର୍ଶିତ କରାଯାଇଛି । ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଓ ରୂପରେଖ, ଯାହାକୁ ସମଗ୍ର ଦେଶ ସହମତି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।