କେନ୍ଦ୍ରାପଡ଼ା – ଖରସ୍ରୋତା ନଦୀ ଉପରେ ପ୍ରସ୍ତାବିତ ପୋଲକୁ ରାଜକନିକା ବ୍ଲକର ନମତରା ଓ ଆଳି ବ୍ଲକର ଦୈତାରୀପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ସହ ସିଧା ସଂଯୋଗ କରାଯିବାକୁ ଅଂଚଳ ବାସିନ୍ଦାମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି । ଏ ନେଇ ଏକ ଲିଖିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଗ୍ରାମବାସୀମାନେ ପ୍ରଦାନ କରିବା ସହ ଏହାର ନକଲ ବିଭାଗୀୟ ଅଧିକାରୀମାନଙ୍କୁ ଦେଇଥିବା ଜଣାପଡିଛି । ଦାବି ମୁତାବକ ଆଳି ବ୍ଲକର ପଦନୀପାଳ ପଂଚାୟତକୁ ସଡକପଥ ସଂଯୋଗ କରିବା ପାଇଁ ଖରସ୍ରୋତା ନଦୀ ଉପରେ ଏକ ସେତୁ ନିର୍ମାଣର ପ୍ରସ୍ତାବ ଘୋଷଣା ହେବା ପରେ ରାଜକନିକା ବ୍ଲକ ନମତରା ଓ ଆଳି ବ୍ଲକର ଦୈତାରୀପୁର ଅଧିବାସୀମାନେ ଏହି ପୋଲର ସଂଯୋଗ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ୍ ପାଇଁ ଦାବି ଉଠାଇଛନ୍ତି । ନମତରା ନଦୀକୂଳ ସ୍କୁଲ୍ଠାରୁ ଦୈତାରୀପୁର ନିକଟରେ ଥିବା ପ୍ରଧାନମନ୍ତ୍ରୀ ସଡକ ସହ ସେତୁ ସଂଯୋଗ କରାଗଲେ ନିର୍ମାଣରେ ଆର୍ଥିକ ବ୍ୟୟ ହ୍ରାସ ପାଇବ । ଏହାସହ ଆଳି ଓ କନିକା ବ୍ଲକର ବହୁ ଜନସାଧାରଣ ଉପକୃତ ହୋଇପାରିବେ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ କୈଳାସ ଚନ୍ଦ୍ର ମଲ୍ଲିକ, ବୈକୁଣ୍ଠନାଥ ମଲ୍ଲିକ, ରାମଚନ୍ଦ୍ର ନାୟକ, ହୃଦାନନ୍ଦ ଦାସ, ନିରଞ୍ଜନ ମଲ୍ଲିକ, ସବିତା ବିଶ୍ୱାଳ, ବଂଶୀଧର ମହାନ୍ତି, ମମତାବାଳା ବେହେରା, ମଞ୍ଜୁଲତା ଭୋଇ, ପୁରୁସ୍ତମ ସେଠୀ ପ୍ରମୁଖ ଦାବି କରିଛନ୍ତି ।