
ଭୁବନେଶ୍ୱର, ଓଡ଼ିଶା ତଥା ଭାରତବର୍ଷର ଖ୍ୟାତନାମା ବାମପନ୍ଥୀ କବି ଓ ଲେଖକ କୁମାର ହସନ୍ଙ୍କ ବିୟୋଗରେ ସିପିଆଇର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛି ।
ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଏକ ଶୋକବାର୍ତାରେ କହିଛନ୍ତି- ସାଥୀ କୁମାର ହସନ ଏକାଧାରରେ ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଓ ସମ୍ବଲପୁରୀ ଭାଷାରେ ଜଣେ ପ୍ରଖ୍ୟାତ ବିପ୍ଳବୀ ଲେଖକ ଓ କବି ଥିଲେ । ଏଭଳି ବହୁଭାଷୀ ପ୍ରତିଭା ସମଗ୍ର ଭାରତବର୍ଷରେ ବିରଳ । କମ୍ୟୁନିଜମ୍ର ଆଦର୍ଶ ପ୍ରତି ତାଙ୍କର ଅବିଚଳ ନିଷ୍ଠା ରହିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ତା’ର ଜଣେ କୃତୀ ସନ୍ତାନକୁ ହରାଇଲା ।