-
ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଲେ
ଭୁବନେଶ୍ବର, ରାଜ୍ୟରେ ଲଗାଣ ବର୍ଷା କାରଣରୁ ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ବୁଧବାର ଦିନ ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି । ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ବର୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଯେଉଁ ଜିଲ୍ଲାର ଜିଲ୍ଲାପାଳ ମାନେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲା ସାମିଲ ରହିଛି ।
ସମୀକ୍ଷା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏହି ଜିଲ୍ଲାପାଳ ମାନଙ୍କୁ ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ସ୍ଥାନର ପାଣି ଜମିବାର ଆଶଙ୍କା ରହିଛି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି।
ସେହିପରି ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବାକୁ କୁହାଯାଇଛି। ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବ ଗଛ ସଫା ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ।
ବୌଦ୍ଧ,ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର,କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକ ରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ ପାଇଁ କୁହାଯାଇଛି। ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେଉଁଝର ଓ ସମ୍ୱଲପୁରରେ ଓଡରାଫ ଟିମ ଓ ଭଦ୍ରକ ଓ ଯାଜପୁରରେ ଏନଡିଆର ଏଫ୍ ଟିମ ମୁତୟନ ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି।
ଉଲ୍ଲେଖନୀୟ ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ବ୍ଲକରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।