
ଭୁବନେଶ୍ଵର,ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ସଂନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ଉତର ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ ଏହା କେନ୍ଦ୍ରୀଭୂତ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଂଟା ପାଇଁ (ଆଜି ସକାଳ ୮ଟା ୩୦ ଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ) ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଓ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ ।
ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲା ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ । ଏହି ସମୟରେ ସମ୍ପୃକ୍ତ ଅଂଚଳରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଅରେଞ୍ଜ୍ ୱାର୍ଣ୍ଣିଂ ଜାରୀ କରାଯାଇଥିବା ୧୩ ଜିଲ୍ଲା ହେଲା, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ଏବଂ ବାଲେଶ୍ଵର । ଏହି ସମୟରେ ସମ୍ପୃକ୍ତ ଅଂଚଳରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଅନୁରୂପ ଭାବେ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଥିବା ୧୨ ଜିଲ୍ଲା ହେଲା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଏବଂ ଗଞ୍ଜାମ । ଏହି ସମୟରେ ସମ୍ପୃକ୍ତ ଅଂଚଳରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।