-
ଟଂକା ଜମା ସତ୍ବେ ଏଯାଏଁ ହୋଇନି ବିଦ୍ଯୁତ ସଂଯୋଗ
ଗଂଜାମ, କେନ୍ଦ୍ର ତଥା ରାଜ୍ଯ ସରକାର ମହିଳା ଓ ଶିଶୁବିକାଶ ତଥା ଅଂଗନବାଡି ସେବା ପ୍ରତି ବିଶେଷ ଗୁରୁତ୍ବ ପ୍ରଦାନ କରିବା ସହ କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ହିଞ୍ଜଳିକାଟୁ ବିଦ୍ଯୁତ ବିଭାଗ ଏସଡିଓ ଏବଂ ପିତ୍ତଳ ସେକ୍ସନ ଅଧିକାରୀ ଏହି କାର୍ଯ୍ଯକ୍ରମ ପ୍ରତି ଅବହେଳା, ଅଣଦେଖା କରିବା ସହ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ପିତ୍ତଳରେ ଗୋଟିଏ କଂପାଉଣ୍ଡ ମଧ୍ୟରେ ଚାରି ବର୍ଷ ପୂର୍ବରୁ ଚାରି, ଏକ, ଛଅ ନଂବର ତିନୋଟି ନୂତନ ଅଂଗନବାଡି କେନ୍ଦ୍ରର ଗୃହ ନିର୍ମାଣ ହୋଇ ବିଦ୍ଯୁତ ୱାରିଙ୍ଗ ମଧ୍ୟ ହୋଇ ସାରଛି। ବିଦ୍ଯୁତ ସଂଯୋଗ ପାଇଁ ଏହି ତିନୋଟି କେନ୍ଦ୍ର ପାଇଁ ବିଦ୍ଯୁତ ବିଭାଗ ଏସଡିଓଙ୍କ ପାଖରେ ଆବଶ୍ୟକ ଟଂକା ଗତ ମାର୍ଚ୍ଚ ମାସରେ ଜମା କରାଯିବା ସତ୍ବେ ପାଉଣା ପାଇବା ଅଭିପ୍ରାୟରେ କେନ୍ଦ୍ର ଗୁଡିକକୁ ବିଦ୍ଯୁତ ସଂଯୋଗ ନକରି ଅଂଗନବାଡି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଯାଉଥିବା ଜଣାପଡ଼ିଛି ।
ଗଂଜାମ ଜିଲାପାଳ ଏବଂ ଶେରଗଡ ବିଡିଓ ଘଟଣାର ତଦନ୍ତ କରି କେଉଁ କାରଣରୁ ଏପର୍ଯ୍ୟନ୍ତ ଏହି କେନ୍ଦ୍ର ଗୁଡିକକୁ ବିଦ୍ଯୁତକରଣ କରାଯାଇନାହିଁ, ତାର ତଦନ୍ତ କରିବା ସହ ଏଥିପାଇଁ ଦାୟୀ କିଏ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।