ଖୋର୍ଦ୍ଧା,୩୧ଜୁଲାଇ(ହିସ) ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ୨ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଅଭିଯୋଗ ହୋଇଛି । ଆହତ ଶ୍ରମିକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ୫୫ ବର୍ଷୀୟ ଅଭିରାମ ଦୋରା ଓ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ୩୩ ବର୍ଷୀୟ ହରି ବେହେରା ବୋଲି ଜଣାପଡ଼ିଛି ।
ଆରପିଏଫ ସୂଚନା ମୁତାବକ, ଗତକାଲି ରାତିରେ ପୁରୀ-ଚେନ୍ନାଇ ସାପ୍ତାହିକ ସୁପରଫାଷ୍ଟ ଟ୍ରେନଟି ବାଲୁଗାଁରୁ ଛାଡ଼ିବାର ୧ କିଲୋମିଟର ପରେ ଉକ୍ତ ଦୁଇ ଶ୍ରମିକ କୌଣସି କାରଣବଶତଃ ଟ୍ରେନରୁ ଖସିପଡ଼ିଥିଲେ । ଖବର ପାଇ ବାଲୁଗାଁ ଏସପିଏଫ ଟିମ୍ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ତେବେ ଅଭିରାମଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବା ବେଳେ ହରି ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଆରପିଏଫ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଉଭୟ ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।