ବଲାଙ୍ଗିର, ମହିଳା ଓ ଦଳିତଙ୍କ ହକ ପାଇଁ ଲଢୁଥିବା ପଶ୍ଚିମ ଓଡିଶା ମହିଳା ସଂଗଠନ ପୁଇଁନ୍ତଳା ସ୍ଥିତ ନାରାୟଣ କଲୋନୀର କୁଷ୍ଠ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଛି । ସଂଘ ସଭାନେତ୍ରୀ ସବିତା ନନ୍ଦଙ୍କ ଉଦ୍ୟମ ଓ ବଲାଙ୍ଗିର ନିରତାର କେନ୍ଦ୍ର ସହାୟତାରେ ୭ ଜଣ ରୋଗୀଙ୍କୁ ହୁଇଲ ଚେଆର ସହିତ ଆଶା ବାଡି ଓ ୨ ଜଣ ରୋଗୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, କୁଷ୍ଠ ରୋଗ ଯୋଗୁଁ ଅନେକ ରୋଗୀ ତାଙ୍କର ଅଙ୍ଗ କିମ୍ବା ଅଙ୍ଗ ବଳ ହରାଇ ବସନ୍ତି । ସଠିକ ଉପଚାର ନହେଲେ ଚାଲବୁଲା କରିବାରେ ମଧ୍ୟ ସେମାନେ ଅକ୍ଷମ ହୁଅନ୍ତି । ପୁଇଁନ୍ତଳା ସ୍ଥିତ ନାରାୟଣ କଲୋନୀର ଏଭଳି କିଛି ରୋଗୀଙ୍କ ଅକ୍ଷମତା ଖବର ପାଇ ପଶ୍ଚିମ ଓଡିଶା ମହିଳା ସଂଗଠନ ନାରାୟଣ କଲୋନୀକୁ ପହଞ୍ଚି ରୋଗୀମାନଙ୍କ ଅବସ୍ଥା ପଚାରି ବୁଝିଥିଲା । ଅକ୍ଷମ ରୋଗୀମାନଙ୍କ ଏକ ଚିଠା ପ୍ରସ୍ତୁତ କରିବା ସହ ସେମାନଙ୍କ ପାଇଁ ଆବଶ୍ୟକ ହୁଇଲ ଚେଆର ଓ ଟ୍ରାଇ ସାଇକେଲ ପାଇଁ ବଲାଙ୍ଗିର ନିରତାର ଠାରେ ସମସ୍ତ କାଗଜ ପତ୍ର ଦାଖଲ କରିଥିଲା । ନିରତାରର ଡାକ୍ତର ସୁରେନ୍ଦ୍ର ଭୋଇ ଓ ଅନୀଲ ନାୟକ ରୋଗୀଙ୍କୁ ଦେଖିବା ପରେ ରୋଗୀ ମୁତାବକ ଟ୍ରାଇ ସାଇକଲ ଓ ହୁଇଲ ଚେୟାର, ଆଶା ବାଡି ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟା ଦୀପା ମୁଗ୍ରୀ, ସବିତା ମୁଗ୍ରୀ, ପୂର୍ବତନ ସରପଞ୍ଚ ନିରଞ୍ଜନ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସମିତି ସଭ୍ୟ ସୁରଶ୍ରୀ ଗରୁଡ ଓ ହେମସାଗର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।