
ସାଲେପୁର, ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ସରକାରୀ ବିଦ୍ୟାଳୟକୁ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଆକୃଷ୍ଟ ହେବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ମାଗଣାରେ ପୋଷାକ, ଯୋତା, ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଦ୍ୟାଳୟ ସ୍ତରରେ କିଛି ଅସାଧୁ ଶିକ୍ଷକଙ୍କ ପାଇଁ ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି । ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ କିପରି ଚାଲିଛି ଏହାର ତଥ୍ୟ ପାଇଁ କ୍ଲଷ୍ଟର ସ୍ତରୀୟ ସିଆରସିସିଙ୍କ ମାଧ୍ୟମରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ଆସିଥାଏ । ଏହା ସଠିକ୍ ଭାବେ ଚାଲୁଛି କି ନାହିଁ ମଧ୍ୟାହ୍ନ ଭୋଜନ ଦାୟିତ୍ଵରେ ଥିବା ଏ.ବି.ଇ.ଓ. ଏହାର ତଦନ୍ତ କରିବା ଦରକାର ଥିଲା ବେଳେ ଏଥିରେ ବ୍ୟତିକ୍ରମ ହେଉଛି । ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ବିଭିନ୍ନ କ୍ଲଷ୍ଟରରେ ଏଭଳି ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି । ଉକ୍ତ କ୍ଲଷ୍ଟରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ୧୪ଟି ବିଦ୍ୟାଳୟ ରହିଛି । ପ୍ରତିଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ତଥା ମଧ୍ୟାହ୍ନ ଭୋଜନ ଗ୍ରହଣର ତଥ୍ୟ ଦାୟିତ୍ଵରେ ଥିବା ଶିକ୍ଷକ ତଥା ପ୍ରଧାନଶିକ୍ଷକ କ୍ଲଷ୍ଟର ସ୍ତରୀୟ ହୋଇଥିବା ଗ୍ରୁପ୍ ମାଧ୍ୟମରେ ସିଆରସିସିଙ୍କୁ ତଥ୍ୟ ଦେବା କଥା । ସିଆରସିସି ଉକ୍ତ ତଥ୍ୟକୁ ୧୨ ଟାରୁ ୧ ଟା ସୁଦ୍ଧା ବି.ଇ.ଓଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବାର ନିୟମ ରହିଛି । ଅଧିକାଂଶ ଶିକ୍ଷକ ନିୟମିତ ଭାବେ ମଧ୍ୟାହ୍ନ ଭୋଜନର ତଥ୍ୟ ଠିକ୍ ସମୟରେ ସିଆରସିସିଙ୍କୁ ପ୍ରଦାନ କରୁନାହାଁନ୍ତି । ସିଆରସିସି ମଧ୍ୟ ତାଙ୍କୁ ସୁହାଇଲା ଭଳି ବିଳମ୍ବରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ଦେଉଥିବା ଅଭିଯୋଗ ହେଉଛି । ଯାହାଦ୍ଵାରା ବିଦ୍ୟାଳୟରେ ଛାତ୍ର ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନ ଭିତରେ ବହୁ ତାରତମ୍ୟ ରହୁଛି ।
ଏହାଦ୍ଵାରା ସ୍ପଷ୍ଟ ବାରି ହେଉଛି ଯେ, ମଧ୍ୟାହ୍ନ ଭୋଜନ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।