
ସାଲେପୁର, ଗ୍ରାମାଂଚଳକୁ ସହରାଞ୍ଚଳ ଢାଞ୍ଚାରେ ଚଳାଇବା ପାଇଁ ସରକାରଙ୍କ ପକ୍ଷରୁ ଉଜ୍ଵଳ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । କଟକ-ଚାନ୍ଦବାଲି ରାସ୍ତାର ପାଗା ପାଖରୁ ସୁକରପଡା ପର୍ଯ୍ୟନ୍ତ ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳରେ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ସୁକରପଡା ପାଖରୁ କୁଳିଆ ପର୍ଯ୍ୟନ୍ତ ବହୁ ସ୍ଥାନରେ ମାତ୍ର ୬ ମାସ ତଳେ ଲଗାଯାଇଥିବା ଲାଇଟ୍ ଅଧାସ୍ଥାନରେ ଜଳୁନଥିବା ଦେଖିବାକୁ ମିଳିଛି । ସେହିପରି ସାଲେପୁର ବଜାର ପାଖରୁ ମଧ୍ୟ ବହୁସ୍ଥାନରେ ଲାଇଟ୍ ଜଳୁନାହିଁ । ବଜାର ରାସ୍ତାକଡ ଉଜ୍ଵଳ ଆଲୋକୀକରଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଉଜ୍ଜଳ ଆଲୋକୀକରଣ କରିଛନ୍ତି । ଏପରିକି ବ୍ୟବସାୟୀ ଓ ପଥଚାରୀଙ୍କ ପାଇଁ ଉଜ୍ଜଳୀ ଆଲୋକୀକରଣ କରି ସ୍ଥାନୀୟ ନେତାମାନେ ବାହା ବାହା ନେଉଛନ୍ତି । କିନ୍ତୁ, କଟକ-ଚାନ୍ଦବାଲି ରାସ୍ତାର କୁଳିଆଠାରୁ ନିଶ୍ଚିନ୍ତକୋଇଲି ବଜାର ଏବଂ ସୁକରପଡା ପର୍ଯ୍ୟନ୍ତ ରାସ୍ତାକଡରେ ଲାଗିଥିବା ଉଜ୍ଜଳୀ ଆଲୋକୀକରଣର ଷ୍ଟାଣ୍ଡ ଲାଇଟ୍ ଅଧିକାଂଶ ଜଳୁନଥିବା ଦେଖିବାକୁ ମିଳୁଛି । ନିଶ୍ଚିନ୍ତକୋଇଲି ବ୍ଲକ ପଂଚାୟତ ସମିତି ଓ ଗ୍ରାମ ପଂଚାୟତର ମିଳିତ ଅର୍ଥରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ କୁଳିଆଠାରୁ ସୁକରପଡା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତାକଡରେ ସରକାରଙ୍କ ଦ୍ଵାରା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ଏହି ଆଲୋକୀକରଣ ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସରକାର ଏହି ଯୋଜନା ପାଇଁ ଯେଉଁ ଅର୍ଥ ଯୋଗାଇ ଦେଉଛନ୍ତି ତାହା ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ବ୍ଲକ ପ୍ରଶାସନ ପାଖରେ ଥିଲେ ମଧ୍ୟ ଲାଇଟ୍ ଗୁଡିକ ମରାମତି କରାଯାଉନାହିଁ । ଅପରପକ୍ଷରେ ଏହି ଆଲୋକୀକରଣ ବ୍ୟବସ୍ଥାରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ନେତା ଓ ଠିକାଦାରଙ୍କ ପକେଟ ଗରମ ହେଉଥିବାରୁ ଏଷ୍ଟିମେଣ୍ଟ ଅନୁଯାୟୀ ଲାଇଟ୍ ଲାଗିନଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲାପାଳ ତଥା ଭିଜିଲାନ୍ସ ବିଭାଗ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତୁରନ୍ତ ଉକ୍ତ ଆଲୋକୀକରଣ ବ୍ୟବସ୍ଥାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଲୁକାୟିତ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।