
ପୁରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଘୋଡ଼ା ବଜାର ପୁରୀ ପରିସରରେ ଶୁକ୍ରବାର ଦିନ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୈଷୟିକ ଜ୍ଞାନ ପ୍ରୟୋଗ ସହ ସ୍ମାର୍ଟ ବୋର୍ଡ ବ୍ୟବହାର କରି ବୈଦିକ ଗଣିତ,ବିଜ୍ଞାନ ଓ ସଂସ୍କୃତି ବୋଧ ପରିଯୋଜନାର ପ୍ରଶ୍ନମଞ୍ଚ ପ୍ରତିଯୋଗିତା ହୋଇଥିଲା । ସେହିପରି ବିଜ୍ଞାନ ଓ ଗଣିତର ପତ୍ରବାଚନ ସହିତ ଉକ୍ତ ବିଷୟରେ ପ୍ରୟୋଗ ଓ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ସଂସ୍କୃତି ବୋଧ ପରି ଯୋଜନାରେ କଥା କଥନ ସହ ଚଳିତ ବର୍ଷ ନୂତନ କରି ମୂର୍ତ୍ତିକଳା ଓ ଲୋକନୃତ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଚତୁର୍ଥ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଭାଗୀ ମାନଙ୍କୁ ଶିଶୁ, ବାଲ , କିଶୋର ଓ ତରୁଣ ବର୍ଗରେ ବିଭକ୍ତ କରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ମୃତ୍ତିକା ସରଂକ୍ଷଣ ବିଭାଗ, ଖୋର୍ଦ୍ଧାର ସହକାରୀ ନିର୍ଦ୍ଦେଶକ ସୁଶ୍ରୀ ଶୃତି ନଦ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପୂର୍ବ ଛାତ୍ର ତଥା ଇସ୍ରୋ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବା ଶ୍ରୀମାନ ସାଇରାମ ମଙ୍ଗରାଜ ଓ ତତ୍କାଳିକ ଭାଷଣରେ ଅଖିଳ ଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ଶ୍ରୀମାନ ରୁଦ୍ର ପ୍ରସାଦ ଦାଶ ଉପସ୍ଥିତ ପ୍ରତିଭାଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସୁନାମଧନ୍ୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ବିଚାରକ ଭାବେ ବିଚାର କରି ୩୬୪ ପ୍ରତିଭାଗୀ ମଧ୍ୟରୁ ୨୧୦ଜଣ ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ବିଜେତା ଘୋଷଣା କରିଥିଲେ । ତନ୍ମଧ୍ୟରୁ ୭୭ଜଣ ଶିଶୁ ସଂକୁଳ ସ୍ତରକୁ ମନୋନୀତ ହୋଇଛନ୍ତି ।
ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ପୁରୀ ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ତାପସ ପ୍ରିୟଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ,ସମ୍ପାଦକ ସୀମାଚଳ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଓ ପୂର୍ବ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମାକାହ୍ନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ବିବରଣୀ ପଠନ କରିଥିବା ବେଳେ ଶ୍ରୀଯୁକ୍ତ ବିକାଶ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସ୍ୱାଇଁଙ୍କ ପରିଚାଳନା ଓ ବିଦ୍ୟାଳୟ ପରିବାରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।