ଭୁବନେଶ୍ୱର, ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ । ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)’’ । ପତ୍ର ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ ।
୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ ଭଳି ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ । ସେହିପରି ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପ୍ରତିଯୋଗିତା ପାଇଁ ଉପରୋକ୍ତ ଠିକଣାରେ ପଠାଇପାରିବେ । ସାଦା ଏ-ଫୋର୍ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ । ଏହି ବର୍ଗରେ ପତ୍ରର ଶବ୍ଦ ସଂଖ୍ୟା ୧୦୦୦ରୁ ଅଧିକ ହେବା ଉଚିତ୍ ନୁହେଁ । ଅନ୍ୟପଟେ ଅନ୍ତର୍ଦେଶୀୟ ପତ୍ର କାର୍ଡ ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ପ୍ରତିଯୋଗୀମାନେ ପଠାଇପାରିବେ । କେବଳ ହାତରେ ଲେଖା ହୋଇଥିବା ପତ୍ରକୁ ଗ୍ରହଣ କରାଯିବ, ଟାଇପ୍ ହୋଇଥିବା ପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ ।
ମଣ୍ଡଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୨୫,୦୦୦, ୧୦,୦୦୦ ଏବଂ ୫,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଅନ୍ୟପଟେ ଜାତୀୟ ସ୍ତରରେ ପ୍ରଥମ ତିନି ପୁରସ୍କାର ବିଜେତାଙ୍କୁ ୫୦,୦୦୦, ୨୫,୦୦୦ ଏବଂ ୧୦,୦୦୦ ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ରହିଛି । ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇପାରିବ ।