
ମାଲକାନଗିରି, ମାଲକାନଗିରି ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ଗତ ଦୁଇ ବର୍ଷ ପୂର୍ବେ କମ୍ ଉଚ୍ଚତା ବିଶିଷ୍ଟ ୫ ଟି ବ୍ରିଜ ଯୋଗୁଁ ବର୍ଷା ଦିନେ ରାସ୍ତା ଅବରୋଧ ସମସ୍ୟାକୁ ନେଇ ସାଂସଦ ରମେଶ ମାଝୀ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡଗରିଙ୍କୁ ଅନୁରୋଧ କରିବା ସହିତ ସଂସଦରେ ଏହି ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହା ପରେ ପାଙ୍ଗମ୍ ଠାରୁ ମୋଟୁ ମଧ୍ୟରେ ଥିବା ପାଞ୍ଚଟି ବ୍ରିଜକୁ ଅଧିକ ଉଚ୍ଚତା କରି ନିର୍ମାଣ କରିବା କାର୍ଯ୍ୟ ଅନୁମୋଦନ ଲାଭ କରିଥିଲା। କିନ୍ତୁ, ଅନୁମୋଦନର ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏ କାମ ସମାପ୍ତ ନହୋଇ ମନ୍ଥର ଗତିରେ ଚାଲୁଥିବାରୁ ବର୍ଷାଯୋଗୁଁ ଜିଲ୍ଲା ବାସି ବାରମ୍ବାର ଯୋଗାଯୋଗ କ୍ଷେତ୍ରରେ ବିଚ୍ଛିନ୍ନ ହେଉଛନ୍ତି। ଏହାକୁ ଦେଖି ସାଂସଦ ଆଜି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡଗରିଙ୍କୁ ସାକ୍ଷାତ କରି ଏହି କାର୍ଯ୍ୟକୁ ତ୍ଵରାନ୍ବିତ କରିବାକୁ ଅନୁରୋଧ କରିଥିଲେ। ଏହାପରେ ମନ୍ତ୍ରୀ ବର୍ଷା ଋତୁ ପରେ ପରେ କାର୍ଯ୍ୟଟିକୁ ଅତି ଶୀଘ୍ର ସାରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।