ଭୁବନେଶ୍ୱର, ଶୁକ୍ରବାର ପୁର୍ବାହ୍ନରେ ସ୍ଥାନୀୟ ରାଜ ଭବନ ସମ୍ମୁଖରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ପାଖରେ ଉତ୍କଳ ସମ୍ମିଳନୀର କର୍ମକର୍ତା ଓ ସଦସ୍ୟ ସଦସ୍ୟା ମାନେ ଝାଡଖଣ୍ଡ ସରକାରଙ୍କ ଦ୍ୱିତୀୟ ରାଜ୍ୟଭାଷା ଓଡିଆ ପ୍ରତି ବୈମାତୃକ ମନୋଭାବ ବିରୋଧରେ ପ୍ରତିବାଦ କରିଥିଲେ । ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡଖଣ୍ଡ ରାଜ୍ୟ ସରକାର ଓଡିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ । ନିକଟରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଝାଡଖଣ୍ଡ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା ତାଲିକାରେ ଓଡିଆ ଭାଷା ନାହିଁ । ଫଳରେ ଝାଡଖଣ୍ଡରେ ଥିବା ଲକ୍ଷଲକ୍ଷ ଓଡିଆ ବୈମାତୃକ ମନୋଭାବର ଶିକାର ହୋଇଛନ୍ତି । ଉତ୍କଳ ସମ୍ମିଳନୀ ଝାଡଖଣ୍ଡ ସରକାରଙ୍କ ଏଭଳି ନିଷ୍ପତିକୁ ନିନ୍ଦା କରିବା ସହିତ ଏହା ଦୁର୍ଭାଗ୍ୟ ଜନକ ବୋଲି କହି ଆଜି ରାଜ ଭବନ ସମ୍ମୁଖରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ କରିଛି । ଏଥିରେ ହସ୍ତକ୍ଷେପ କରିବା ପାଇଁ ସମ୍ମିଳନୀ ପକ୍ଷରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଆଜିର ଏହି ପ୍ରତିବାଦ ସଭାରେ ନିଷ୍ପତି ନିଆଯାଇଛି ।
ଏହି ପ୍ରତିବାଦ ସଭାରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା, ସମ୍ମିଳନୀର ଉପଦେଷ୍ଟା ଅନନ୍ତ ପ୍ରସାଦ ଜେନା, ଉପ-ସଭାପତି ଡଃ. ସୁରେନ୍ଦ୍ର ମୋହନ ମିଶ୍ର, ଶାଖା ଉପଦେଷ୍ଟା ନିମାଇଁ ଚରଣ ଦାଶ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ-ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡନାୟକ, ସୈାଦାମିନୀ ସାମନ୍ତରାୟ, ସୁରଜିତ ପରିଡା, ନିତ୍ୟାନନ୍ଦ ସାମନ୍ତରାୟ, ଗୋପୀ ମୋହନ ପଟ୍ଟନାୟକ, ମନୋଜ କୁମାର ରାଉତ, ରାମ ଚନ୍ଦ୍ର ସାମଲ ଓ ବ୍ରଜ ସୁନ୍ଦର ରାୟ ଆଦି ଭାଗନେଇଥିଲେ ।