-
‘୫-ଟି’ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବରବାଦ୍ କରିଦେଇଛି : ମୋହନ ଚରଣ ମାଝୀ
-
ନିଶ୍ଚିନ୍ତପୁର କୋଚିଂ ସେଂଟର ପଂଜୀକୃତ ହୋଇଛି କି ?
-
ହଷ୍ଟେଲରେ ରହିବା ପାଇଁ ଅନୁମତି ଦିଆଯାଇଥିଲା କି ?
-
କେଉଁ ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ କୋଚିଂ ସେଂଟର ଚାଲୁଥିଲା ?
-
ରାଜ୍ୟରେ ଏମିତି ଅନେକ କୋଚିଂ ସେଂଟର ବେଆଇନ ଭାବେ ଚାଲୁଥିବାବେଳେ ରାଜ୍ୟ ସରକାର କ’ଣ କରୁଛନ୍ତି ?
-
ଯଦି ଶିକ୍ଷାଦାନର ମାନ ବୃଦ୍ଧି ପାଇଛି, ତାହେଲେ ହଜାର ହଜାର ପିଲା ୫-ଟି ସ୍କୁଲ ଛାଡି ଘରୋଇ କୋଚିଂ ସେଂଟରରେ ପଢୁଛନ୍ତି କାହିଁକି ?
-
ସ୍କୁଲ ଯାଉନଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କିଏ ଖାଉଛି ?
-
ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଭାରତୀୟ ଜନତା ପାର୍ଟୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ
ଭୁବନେଶ୍ୱର, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷା ବାତାବରଣ ସଂପୂର୍ଣ୍ଣ ନଷ୍ଟ ହୋଇପଡିଛି । ବିଦ୍ୟାଳୟମାନଙ୍କରେ କେଉଁଠି ଛାତରୁ ପ୍ଲାଷ୍ଟର ଖସିପଡି ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହେଉଛନ୍ତି ତ ଆଉ କେଉଁଠି ବର୍ଷାପାଣି ଜମା ହୋଇ ରହିବା କାରଣରୁ ଇଟା ଉପରେ ବସି ନହେଲେ ବାରଣ୍ଡାରେ ପାଠ ପଢୁଛନ୍ତି । କେଉଁଠି ଭାଲୁ ପଶିଗଲାଣିତ ଆଉ କେଉଁଠି ପାଚେରୀ ଭୁଷୁଡି ପଡିଲାଣି । କିନ୍ତୁ ଠିକାଦାରୀ ତୋଷଣ ପ୍ରୀତି କାରଣରୁ ୫-ଟି ଜରିଆରେ ବିଦ୍ୟାଳୟ କାନ୍ଥରେ ରଙ୍ଗ ବୋଳି ଦେଇ କୋଟି କୋଟି ଟଙ୍କା ହଡପ କରାଯାଉଛି । “ରାଧେ ରାଧେ, ତୋର ଅଧେକୁ ମୋର ଅଧେ” । ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର, ବହୁତ ତଳେ ରହିଯାଇଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହି କାରଣରୁ ଅନେକ ଅଭିଭାବକ ନିଜ ପିଲାଙ୍କୁ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ନପଢାଇ ବାହାରେ ରଖି କୋଚିଂ ସେଂଟରରେ ପଢାଉଛନ୍ତି । ବାସ୍ତବରେ ୫-ଟି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବରବାଦ୍ କରିଦେଇଛି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷା ନୀତି କାରଣରୁ ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକମାନେ ଉଚିତ୍ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେଉଛନ୍ତି । ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଧ୍ୟବାଧକତାରେ ବାହାରେ ପାଠ ପଢାଉଛନ୍ତି । ଏହାର ଲାଭ ଉଠାଇ କିଛି ଅସାଧୁ ଶିକ୍ଷା ବ୍ୟବସାୟୀମାନେ ବେଆଇନ ଭାବେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲି ଦେଇ ଅର୍ଥ ରୋଜଗାର କରୁଛନ୍ତି ଏବଂ ରାଜ୍ୟ ସରକାର ଏଥିପ୍ରତି କୈାଣସି ଧ୍ୟାନ ଦେଉନାହାନ୍ତି । କେନ୍ଦୁଝର ଜିଲ୍ଲା ଚଂପୁଆ ବ୍ଲକ ନିଶ୍ଚିନ୍ତପୁରଠାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ମହାନ୍ତଙ୍କ ତତ୍ୱାବଧାନରେ ଦୀର୍ଘ ୧୫ ବର୍ଷ ଧରି ଅତ୍ୟନ୍ତ ଖରାପ ସ୍ଥିତିରେ ଚାଲିଆସୁଥିବା ଏକ ଘରୋଇ ଆବାସିକ କୋଚିଂ ସେଂଟରରେ ୧୧୬ ଜଣ ଛାତ୍ର ପଢୁଥିବାବେଳେ ୭୦ରୁ ଉର୍ଦ୍ଧ୍ୱ ହଷ୍ଟେଲରେ ରହିଥାନ୍ତି । ଗତ ୨୨ ତାରିଖ ଦିନ ଏହିଠାରେ ସାପ କାମୁଡା କାରଣରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଶ୍ରୀ ମାଝୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିଦଳ ଘଟଣାସ୍ଥଳକୁ ଯାଇ ବାସ୍ତବସ୍ଥିତି ନିରୀକ୍ଷଣ କରିଥିଲେ । ଏହି ପ୍ରତିନିଧି ଦଳରେ କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହନ୍ତ ବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମମିତା ନାଏକ, କେନ୍ଦୁଝର ନଗରସଭାପତି ବିଶ୍ୱଜିତ୍ ତ୍ରିପାଠୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଲକ୍ଷ୍ମଣ ରାଉତ ପ୍ରମୁଖ ସାମିଲ ଥିଲେ ।
ବିଭିନ୍ନ ବିଦ୍ୟାଳୟମାନଙ୍କରେ କେବଳ ନାମ ଲେଖାଇ ଉନ୍ନତମାନର ଶିକ୍ଷା ପ୍ରାପ୍ତି ପାଇଁ ଚଂପୁଆ ବ୍ଲକର ଝୁଂପୁଡା, ନୟାଗଡ ଅଂଚଳର ଛାତ୍ରଛାତ୍ରୀମାନେ ନିଶ୍ଚିନ୍ତପୁରସ୍ଥିତ ଘରୋଇ କୋଚିଂ ସେଂଟରରେ ପାଢ ପଢୁଥିଲେ । ସେଦିନ ରାତିରେ ଗୋଟିଏ ଚିତି ସାପ ପଶି ଆସି ଶୋଇଥିବା ଅବସ୍ଥାରେ ସେମାନଙ୍କୁ କାମୁଡି ଦେଇଥିବା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି କିଛି ଦିନ ପୂର୍ବରୁ ମଧ୍ୟ କେନ୍ଦୁଝର ସହରର ଅନ୍ୟ ଏକ ଘରୋଇ କୋଚିଂ ସେଂଟରରେ ଜଣେ ଛାତ୍ରଙ୍କର ମଧ୍ୟ ଚିତି ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ଏଭଳି ଭାବରେ କେନ୍ଦୁଝର ଜିଲ୍ଲାରେ ଅନେକ ଜାଗାରେ ସାପ କାମୁଡା ଜନିତ ମୃତ୍ୟୁ ଘଟୁଛି । ଗତକାଲି ଦେବଗଡ ଜିଲ୍ଲାରେ ଘରେ ସାପ କାମୁଡା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।ଏହି ଘଟଣା ବଡ ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନଶୀଳ ଅଟେ । ନିଶ୍ଚିନ୍ତପୁର କୋଚିଂ ସେଂଟର ପଂଜୀକୃତ ହୋଇଛି କି ? ହଷ୍ଟେଲରେ ରହିବା ପାଇଁ ଅନୁମତି ଦିଆଯାଇଥିଲା କି ? କେଉଁ ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ କୋଚିଂ ସେଂଟର ଚାଲୁଥିଲା ? ରାଜ୍ୟରେ ଏମିତି ଅନେକ କୋଚିଂ ସେଂଟର ବେଆଇନ ଭାବେ ଚାଲୁଥିବାବେଳେ ରାଜ୍ୟ ସରକାର କ’ଣ କରୁଛନ୍ତି? ଯଦି ଶିକ୍ଷାଦାନର ମାନ ବୃଦ୍ଧି ପାଇଛି, ତାହେଲେ ହଜାର ହଜାର ପିଲା ୫-ଟି ସ୍କୁଲ ଛାଡି ଘରୋଇ କୋଚିଂ ସେଂଟରରେ ପଢୁଛନ୍ତି କାହିଁକି ? ସ୍କୁଲ ଯାଉନଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କିଏ ଖାଉଛି ? ଏହା କେବଳ ଗୋଟିଏ କୋଚିଂ ସେଂଟର ନୁହେଁ । ଜିଲ୍ଲା ତଥା ରାଜ୍ୟର ଅନେକ ସ୍ଥାନରେ ବେଆଇନ କୋଚିଂ ସେଂଟର ହଷ୍ଟେଲ ଖୋଲାଯାଇଛି ଯେଉଁଥିରେ କି ପିଲାମାନେ ବର୍ଷ ତମାମ ରହି ବିଦ୍ୟାଳୟକୁ କେବଳ ପରୀକ୍ଷା ସମୟରେ ଯାଆନ୍ତି । ଯାହା ନିଶ୍ଚିନ୍ତପୁର କୋଚିଂ ସେଂଟରର ସରଜମିନ କଲାପରେ ଜଣାପଡିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
କେନ୍ଦୁଝର ଜିଲ୍ଲା ଖଣିଖାଦାନର ଅଂଚଳ ଏବଂ ଏହି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଡିଏମଏଫ୍ ଗଠନ କରାଯାଇଛି । ଗତ ଜୁନ ମାସ ଶେଷ ସୁଦ୍ଧା ପ୍ରାୟ ୯୭୮୩.୪୦ କୋଟି ଟଙ୍କା ଜିଲ୍ଲାର ଖଣିଜ ପାଣ୍ଠିରେ ଥିବା ସତ୍ୱେ ସେ ଅଂଚଳର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷକ ଓ କିରାଣୀ ନାହାଁନ୍ତି, ସ୍କୁଲ ଯିବାପାଇଁ ରାସ୍ତା ନାହିଁ, ପାନୀୟ ଜଳର ବ୍ୟବସ୍ଥା ନରହିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜି ରହିବା ଆହୁରି ଦୁର୍ଭାଗ୍ୟଜନକ । ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ଶିକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ୬୨ହଜାର ଶିକ୍ଷକ ପଦବୀ ଓଡିଶାରେ ଖାଲି ପଡିଛି ଏବଂ ସେଥିରୁ ପାଖାପାଖି ୫ହଜାର ସ୍କୁଲରେ ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁଛି । କେନ୍ଦୁଝର ଜିଲ୍ଲାରେ ୨ହଜାର ୬୭୪ ପ୍ରାଥମିକ ସ୍କୁଲ ଥିବାବେଳେ ସେଥିରେ ୧ହଜାର ୪୦୩ ଶିକ୍ଷକ ପଦବୀ ଖାଲିପଡିଛି । ଜଣେ ଶିକ୍ଷକ ଥିବା ସ୍କୁଲ ୩୩ଟି ଥିବାବେଳେ ଉଚ୍ଚ ବିଦ୍ୟାଳୟରେ ୭୪୩ ଟି ଶିକ୍ଷକ ପଦବୀ ଖାଲି ପଡିଛି । ୫-ଟି ବିଦ୍ୟାଳୟରେ ମଧ୍ୟ ବିଜ୍ଞାନ ଶିକ୍ଷକ ଜଣେ ହେଲେ ନାହାଁନ୍ତି । ଏଭଳି ଦୟନୀୟ ସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ।
ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କାରଣରୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ବିଦ୍ୟାଳୟରେ ମାଗଣାରେ ନପଢାଇ ୨୦ହଜାର ଟଙ୍କା ଲେଖାଏଁ ବାର୍ଷିକ ଟ୍ୟୁସନ୍ ଫି ଦେଇ ବିନା ଅନୁମତିପ୍ରାପ୍ତ ଘରୋଇ କୋଚିଂ ସେଂଟରକୁ ପଠାଉଛନ୍ତି । ଯାହାଦ୍ୱାରା ଆଜି ବିପଦରେ ପଡି ସେମାନେ ତାଙ୍କ ପିଲାଙ୍କୁ ହରାଇଛନ୍ତି । ଜିଲ୍ଲାପାଳ ନିଜେ ନଯାଇ ବିଇଓ, ଡିଇଓଙ୍କୁ ପଠାଇ ଦେଇ ନିଜ କର୍ତବ୍ୟ ସାରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ୍ ଭାରତୀୟ ଜନତା ପାର୍ଟୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।