-
ଓଡିଶାରେ ସରକାରୀ ନିଯୁକ୍ତିରେ “ମନି ଫର୍ ଜବ୍” ର୍ୟାକେଟ୍ କାମ କରୁଛି
ଭୁବନେଶ୍ୱର, ଓଡିଶା ଷ୍ଟାଫ୍ ସିଲେକସନ ଦ୍ୱାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ ଓଡିଶାରେ ସରକାରୀ ନିଯୁକ୍ତିରେ “ମନି ଫର୍ ଜବ୍” ର୍ୟାକେଟ କାମ କରୁଛି । ଏହି ଅପରାଧୀକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ଏସପିଙ୍କ ବୟାନ ପ୍ରମାଣ କରିସାରିଲାଣି ଯେ, ଦଲାଲମାନେ ପରୀକ୍ଷା ଆଗରୁ ଅସଲି ପ୍ରଶ୍ନ ପତ୍ର ପାଇଥିଲେ । ଏବେ ଓଡିଶା ଷ୍ଟାଫ୍ ସିଲେକସନ ସେହି ପରୀକ୍ଷା ବାତିଲ କରିଛନ୍ତି ଯାହା ସେମାନେ କରିବା ପାଇଁ ଆଇନତଃ ବାଧ୍ୟ । କିନ୍ତୁ ସେହି ଦଲାଲମାନେ କିଭଳି ଆଗୁଆ ପ୍ରଶ୍ନ ପତ୍ର ପାଇଲେ, ସେମାନଙ୍କୁ ସରକାରଙ୍କର କେଉଁ ବଡ ବଡିଆ ଅଧୀକାରିମାନେ ପ୍ରଶ୍ନ ପତ୍ର ଯୋଗାଇଥିଲେ ଏହା ଉପରେ କାହିଁକି ତଦନ୍ତ ହେଉନାହିଁ । ବିନା ସରକାରୀ ସଂମ୍ପୃକ୍ତିରେ ଏହା ସମ୍ଭବ ହେବ କି ? କେବଳ ଦଲାଲ ମାନେ ଗିରଫ ହେଲେ କିନ୍ତୁ କାହିଁକି ଓଡିଶା ଷ୍ଟାଫ୍ ସିଲେକସନର କୌଣସି ଅଧୀକାରି, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଆଜି ଓଡିଶାରେ ଓପିଏସ୍ସି, ଓଏସଏସସି, ଓଏସଏସଏସସି ପରିଚାଳନା କରୁଥିବା ସମସ୍ତ ସରକାରୀ ନିଯୁକ୍ତିରେ ଅନିୟମିତତା, ପ୍ରଶ୍ନପତ୍ର ଖୋଲା ବଜାରରେ ନିଲାମ ହେବା ଭଳି ଘଟଣା ସାମ୍ନାକୁ ଆସୁଛି । “ନବୀନ ଓଡିଶା”ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଏ ବୋଲି ଓଡିଶାର ଚାକିରୀ ଆଶାୟୀ ଲକ୍ଷ ଲକ୍ଷ ଯୁବକ ଯୁବତୀମାନେ ଏବେ ଭାବିବା ପାଇଁ ବାଧ୍ୟ ହେଲେଣି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଦି ପରୀକ୍ଷା ହେବାର ୬ ଦିନ ଆଗରୁ “୧୦ ଲକ୍ଷ ଟଙ୍କା ଦିଅ ପ୍ରଶ୍ନ ପତ୍ର ନିଅ” ବୋଲି ଅଭିଯୋଗ ଆସିଥିଲା ତାହେଲେ ସେହି ପରୀକ୍ଷାକୁ କେଉଁ ପରିସ୍ଥିତିରେ କରିବା ପାଇଁ ଦିଆଗଲା ତାହା ତଦନ୍ତ ସାପେକ୍ଷ୍ୟ । ଏହି ପୁରା ଘଟଣାରେ ଯେଉଁମାନେ ଗିରଫ ହୋଇଛନ୍ତି ଯଥା ମହମ୍ମଦ ସିଦ୍ଦିକ, ମୁସ୍ତାକିକ ଖାଁ, କମିରୁଦ୍ଦିନ, ଭିଜେନ୍ଦ୍ର କୁମାର, ରାଜ କୁମାର ଏମାନେ ସମସ୍ତେ ହେଉଛନ୍ତି ରାଜ୍ୟ ବାହାରର ଲୋକ । ସେମାନଙ୍କ ପାଖକୁ ସଠିକ ପ୍ରଶ୍ନ ପତ୍ର ଗଲା କିପରି ? ଏହି ପୁରା କେଳେଙ୍କାରୀରେ ନିଶ୍ଚିନ୍ତ ଭାବରେ ସରକାରଙ୍କ ଅଧୀକାରି ଓ ଶାସକ ଦଳର ଏକ ଗୋଷ୍ଠୀର କିଛି ନେତାମାନଙ୍କର ସମ୍ପୃକ୍ତି ରହିଛି । ଅଭିଯୋଗ େହେଉଛି ଯେ ଓଡିଶା ଷ୍ଟାଫ ସିଲେକସନର ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ସଂସ୍ଥା, ପ୍ରଶ୍ନ ପତ୍ର ଛପାଉଥିବା ସଂସ୍ଥା, ଆବେଦନରୁ ମେରିଟ ଲିଷ୍ଟ ବାହାରିବା ପର୍ଯ୍ୟନ୍ତ ପରିଚାଳନା ହେଉଥିବା ସଫ୍ଟଓାର କମ୍ପାନୀ ସବୁ ହେଉଛନ୍ତି ଅଣଓଡିଆ ସଂସ୍ଥା । ସେହି ସଂସ୍ଥାମାନଙ୍କ ସହିତ ଓଡିଶା ସରକାରଙ୍କ ମଧୁଚନ୍ଦ୍ରିକାରେ ଆଜି ଓଡିଶାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଚାକିରୀକୁ ଦଣ୍ଡିଆ ଦଲାଲଙ୍କ ମାଧ୍ୟମରେ ବଜାରରେ ବିକ୍ରି କରାଯାଉଛି ।
ଆଗରୁ ଓଡିଶା ଷ୍ଟାଫ ସିଲେକସନଙ୍କ ଜଣେ ସଦସ୍ୟଙ୍କର ବ୍ୟକ୍ତିଗତ ସଚିବଙ୍କ ପାଖରୁ ୩ କୋଟି ୮୦ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି, ୧୦୦ରୁ ଅଧିକ ଆଡମିଟ କାର୍ଡ, ପ୍ରଶ୍ନ ପତ୍ର ଜବତ ହୋଇଥିଲା । ଜଣେ ବ୍ୟକ୍ତିଗତ ସଚିବଙ୍କର କୌଣସି ପ୍ରଶାସନିକ କ୍ଷମତା ନଥିଲା ବେଳେ ସେ କାହା କ୍ଷମତାକୁ ଉପଯୋଗ କରି ପଇସା ନେଇ ଚାକିରୀ କରାଇ ଦେଉଥିଲେ ତାହା ଉପରେ ଆଜି ପର୍ଯ୍ୟନ୍ତ ତଦନ୍ତ ହେଲା ନାହିଁ । ଆଜିବି ସେହି ସଦସ୍ୟ ଜଣଙ୍କ ଓଡିଶା ଷ୍ଟାଫ ସିଲେକସନରେ ଦାୟୀତ୍ୱରେ ଅଛନ୍ତି । ସେହିଭଳି ଆଜି ଯିଏ ଓଡିଶା ଷ୍ଟାଫ୍ ସିଲେକସନର ଅଧ୍ୟକ୍ଷ ଅଛନ୍ତି ସେ ନିଜେ ଆଗରୁ ପୋଲିସ ଡିଜି ଭାବରେ କାମ କରୁଥିଲେ । ପୋଲିସ ଡିଜି ଥିବା ବେଳେ ସେ ମମିତା ମେହେର, ପରୀ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ କିଭଳି ବାଟବଣା ହେଲା ତାହା ସମସ୍ତେ ଜାଣନ୍ତି । ତେଣୁ ଏଭଳି କରିତକର୍ମା ପୋଲିସ ଅଧିକାରୀଙ୍କ ଠାରୁ କଣ ଆଉ ଅଧିକ ସ୍ୱଛତା ଆଶା କରାଯାଇ ପାରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଆସୁଛି ଓପିଏସସି, ଓଏସଏସସି, ଓଏସଏସଏସସି ଭଳି ସଂସ୍ଥା ଯେଉଁମାନେ ଓଡିଶାରେ ସରକାରୀ ନିଯୁକ୍ତି ପରିଚାଳନା କରୁଛନ୍ତି । ସେହିଭଳି ନିଯୁକ୍ତିରେ ଦୁର୍ନୀତିକୁ ରୋକିବାର କାମ ହେଉଛି ରାଜ୍ୟ ପୋଲିସର ଯାହା ହେଉଛି ଗୃହ ବିଭାଗ ଅଧୀନରେ ଆସୁଛି । ଦୁଇଟି ଯାକ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ବର୍ତମାନ ଓଡିଶାରେ କଂସେଇ ଶାସନ ଚାଲିଛି । ଯେଉଁଥିରେ ଓଡିଶାର ଗରିବ, ନିମ୍ନମଧ୍ୟବିତ ଓ ମଧ୍ୟବିତ ପରିବାରର ପିଲାମାନଙ୍କର ଭାଗ୍ୟ ଭବିଷ୍ୟତ ବଳି ପଡୁଛି । ଓଡିଶାର ଶାସନ ବ୍ୟବସ୍ଥାକୁ କିଛି ଅଣ ଓଡିଆ ବ୍ୟୁରୋକ୍ରାଟମାନେ କବଜା କରି ଲୁଟପାଟ ଚଲାଇ ଆସିଛନ୍ତି । ଓଡିଶାରେ ଚାଲିଥିବା ଏହି ସରକାରୀ ନିଯୁକ୍ତିରେ ସେମାନଙ୍କର ହାତ ଅଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।