ଭୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଓ ଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି ।
ସେ କହିଛନ୍ତି ଯେ ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ । ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରୁଟ୍ ଲାଇନ, କାରକେଡ, ଟ୍ରାଫିକ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।
ଡିସିପି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ । ସେହିଭଳି ୧୨ ଆଡିସିନାଲ ଡିସିପି, ୨୫ ଜଣ ଏସପି, ୪୦ ଜଣ ଇନସପେକ୍ଟର, ୧୨୦ ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ।
ସେ କହିଛନ୍ତି, ୧୬୦ ଟ୍ରାଫିକ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ସେହିଭଳି ସବୁ ଭେନ୍ୟୁରେ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାଯିବା ସହ ଏହାର ଯାଂଚ କରାଯାଇଛି । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡକ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।