ଭୁବନେଶ୍ୱର, ମଣିପୁର ରାଜ୍ୟରେ ୩ମାସଧରି ଚାଲିରହିଥିବା ହିଂସା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ମହିଳା ଓ ଶିଶୁମାନଙ୍କ ଉପରେ ଜଘନ୍ୟ ଅତ୍ୟାଚାର ପ୍ରତିବାଦରେ ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ସଭାପତି ପ୍ରମୋଦିନୀ ପାଇକରାୟ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣପ୍ରିୟା ମିଶ୍ର, ସଂପାଦିକା ଜିନ୍ମୟୀ ସାହାଣୀ ଓ ରାଜ୍ୟ ଉପ-ସଭାପତି ଅଭାମୟୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀଙ୍କର ଏକ ଶୋଭାଯାତ୍ରା ଅଶୋକନଗରରୁ ବାହାରି ରାଜମହଲ ଛକ ଓ ଅଶୋକନଗର ଅଞ୍ଚଳ ପରିକ୍ରମା ପୂର୍ବକ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପହଞ୍ôଚଥିଲା ।
ସେଠାରେ ଉତ୍କଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟଙ୍କ ସଭାପତିତ୍ୱରେ ଧାରଣା ଅନୁଷ୍ଠିତ ହୋଇଥିଲା । ଉକ୍ତ ଧାରଣାସ୍ଥଳ ସଭାରେ ମହିଳାନେତ୍ରୀମାନେ ଉଦ୍ବୋଧନ ଦେଇ କହିଥିଲେ- ମଣିପୁରରେ ମାନବିକତାର ସମସ୍ତ ସୀମାକୁ ଲଂଘନ କରି ଚାଲିଥିବା ହିଂସା ଓ ବର୍ବରତା ଅସମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ । କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ବିଜେପିର ଡବଲ ଇଂଜିନ୍ ସରକାର ଭୋଟ ପାଇଁ ଜାତି ଓ ଧର୍ମ ଭିତ୍ତିରେ ଧୃବୀକରଣ ଚଳାଇ ଏଭଳି ହିଂସା ଓ ବର୍ବରତାକୁ ପ୍ରେତ୍ସାହନ ଦେଇ ଆସିଛି । ମଣିପୁରରେ ଶିଶୁ ଓ ମହିଳାମାନଙ୍କ ଉପରେ ଚାଲିଥିବା ବର୍ବର ପାଶବିକ ଅତ୍ୟାଚାର ଓ ହିଂସାକୁ ତୁରନ୍ତ ବନ୍ଦ କରାଇ ସେଠାରେ ଶାନ୍ତି ଓ ସଦ୍ଭାବମୂଳକ ପରିସ୍ଥିତି ଫେରାଇ ଆଣିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମଣିପୁର ହିଂସାର ତଥ୍ୟ ଅନୁସନ୍ଧାନକାରୀ ଦଳରେ ଯାଇଥିବା ଭାରତୀୟ ଜାତୀୟ ମହିଳା ଫେଡ଼େରେସନର ସାଧାରଣ ସଂପାଦିକା ଆନ୍ନି ରାଜା, ନିଶା ସିଦ୍ଧୁ ଓ ଦୀକ୍ଷା ଦ୍ୱିବେଦୀଙ୍କ ଉପରେ ହୋଇଥିବା ମିଥ୍ୟା ଦେଶଦ୍ରୋହ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା; ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ କାର୍ଯ୍ୟରତ ନ୍ୟାୟାଧୀଶଙ୍କ ଦ୍ୱାରା ମଣିପୁର ହିଂସା, ବର୍ବରତା ଓ ପାଶବିକ ଅତ୍ୟାଚାରର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ଏବଂ ତୁରନ୍ତ ମଣିପୁର ରାଜ୍ୟ ସରକାରଙ୍କୁ ବରଖାସ୍ତ କରାଯିବା ପ୍ରଭୃତି ଦାବି କରାଯାଇଥିଲା ।
ଏହି ଧାରଣା, ସଭା ଓ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ମହିଳା ସମିତିର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ସୀତାରାଣୀ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ଆବାହିକାସଂଯୁକ୍ତା ଚନ୍ଦନ, ସୁକାନ୍ତି ଦାସ, ଦମୟନ୍ତି ଦାସ, ମୀନା ବାଗ, ଦୟା ନିୟାଲ, ଜଗତସିଂପୁର ଜିଲ୍ଲାନେତ୍ରୀ କଲ୍ୟାଣୀ ଦାସ, ହୀରାମଣୀ ସୂତାର, ଗଞ୍ଜାମ ଜିଲ୍ଲା ସଂପାଦିକା ସରସ୍ୱତୀ ପ୍ରଧାନ, ଭଦ୍ରକ ଜିଲ୍ଲା ସଂପାଦିକା ମମତା ସୂତାର, ଲକ୍ଷ୍ମୀପ୍ରିୟା ବାରିକ, ଯାଜପୁର ଜିଲା ସଭାପତି ହେମଲତା ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ