
ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଞ୍ଚାୟତ ସାଙ୍କିଲୋସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯିବା ନିମନ୍ତେ ରାଜନୀତିକ ସ୍ତରରେ ଯୋର ଧରିଥିଲା ବେଳେ ପଂଚାୟତ ସ୍ତରୀୟ ନେତା ଓ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉକ୍ତ ସ୍ଵାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରଣ ସ୍ଥଗିତ ପାଇଁ ପୁନଃବିଚାର ପାଇଁ ଦାବି ହେଉଛି । ଏପରିକି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଟରପଡା ପଂଚାୟତର ସରପଂଚ ଓ ସମିତିସଭ୍ୟା ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଥାଉ କି, କଟରପଡା ପଂଚାୟତ ସାଙ୍କିଲୋ ଠାରେ ୧୯୮୧ ମସିହାରୁ ସାଙ୍କିଲୋ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର କାର୍ଯ୍ୟ କରିଆସୁଅଛି । ଉକ୍ତ ସ୍ଵାସ୍ଥ୍ୟକେନ୍ଦ୍ରର ପୁନରୁଦ୍ଧାର ତଥା ନୂତନ ଗୃହ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କିନ୍ତୁ, ଏହି ସ୍ଵାସ୍ଥ୍ୟକେନ୍ଦ୍ର ସେଠାରୁ ସ୍ଥାନାନ୍ତରଣ କରାଯାଇ ଅନ୍ୟତ୍ର କରାଯିବା ପାଇଁ ରାଜନୈତିକ ମହଲରେ ମସୁଧା ଚାଲିଥିବା ଅଭିଯୋଗ ହେଉଛି । ଏପରିକି ସ୍ଥାନୀୟ ଅଂଚଳର ସମାଜସେବୀ ଦୁର୍ଗାଚରଣ ନାୟକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ପ୍ରାୟ ୧ କି.ମି. ଦୂରରେ ଦଶମାଣିଆ ଠାରେ ଶାରଦ ଦୋଫସଲି ଜମିଟିଏ ନିଶ୍ଚିନ୍ତକୋଇଲି ସ୍ଵାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସେଠାରେ ସ୍ଵାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବା ପାଇଁ ମସୁଧା ଚାଲିଥିଲା ବେଳେ ନିର୍ମାଣ ହେବାକୁ ଥିବା ଏହି ସ୍ଥାନକୁ ଯିବା ନିମନ୍ତେ କୌଣସି ସରକାରୀ ରାସ୍ତା ନାହିଁ । ଏଠାରେ ନୂତନ ଗୃହ ନିର୍ମାଣ କରାଗଲେ ଗମନାଗମନ ନିମନ୍ତେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରକାଶ କରୁଛନ୍ତି । ସ୍ଥାନୀୟ ସରପଂଚ ଓ ସମିତିସଭ୍ୟା ଏହାର ପୁନଃବିଚାର କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସିଡିଏମଓ ଏବଂ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ୭ ଦିନ ମଧ୍ୟରେ ଏହାର ପୁନଃବିଚାର ନହେଲେ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ତାଙ୍କର ସମର୍ଥକମାନଙ୍କୁ ନେଇ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।