-
ସୁରକ୍ଷା ବ୍ୟବସ୍ଥା କଡାକଡି, ବ୍ଲୁ ବୁକ୍ ଏସଓପି ଅନୁସାରେ ଦିଆଯିବ ସୁରକ୍ଷା
ଭୁବନେଶ୍ୱର, ମଙ୍ଗଳବାର ଦିନ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ୍ ଏସଓପି ଅନୁସାରେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ରାଜଭବନ ଯିବେ । ସେହିଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ ।
ତା’ପର ଦିନ ଅର୍ଥାତ ବୁଧବାର ଦିନ ରାଷ୍ଟ୍ରପତି କଟକ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ସେ ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ରିହରସିଆଲ କରାଯାଇଛି । ବିମାନବନ୍ଦରରୁ ରାଜଭବନ ପରେ ରାଜଭବନରୁ କାର୍ଯ୍ୟକ୍ରମ ସ୍ଥାନକୁ ଫୁଲ କାରକେଡ ରିହରସିଆଲ କରାଯାଇଛି ।