ସମ୍ବଲପୁର, ହୀରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଗତକାଲି ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବା ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ୍ ୫ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଥିବା ବେଳେ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଖୋଲାଯାଇଛି ଆଉ ତିନୋଟି ଗେଟ୍ । ଦିନ ୧୨ଟା ସୁଦ୍ଧା ଡ଼୍ୟାମ୍ ର ବାମ ପାର୍ଶ୍ଵ ଡାଇକ୍ ର ୬ଟି ଓ ଡାହାଣ ପାର୍ଶ୍ଵ ଡାଇକ୍ ର ୨ଟି, ଏହିପରି ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର ୦୪୧ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ସୋମବାର ଦିନ ୧୨ଟା ସୁଦ୍ଧା ୬୧୪.୪୩ ଫୁଟ୍ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।