କନ୍ଧମାଳ,ଭାରତୀୟ ମଜଦୁର ସଂଘ (ବିଏମଏସ)ର ୬୯ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ହାଟପଦା ସ୍ଥିତ ମା”ନାରାୟଣୀ ଯାତ୍ରା କାର୍ଯାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଏହା ଅନୁଷ୍ଠିତ ହୋଇଛି। ୧୯୫୫ ମସିହା ଜୁଲାଇ ୨୩ ତାରିଖରେ ଦନ୍ତପନ୍ତ ଠେଙ୍ଗଡେଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସ ଲୋକମାନ୍ୟ ବାଲଗଙ୍ଗାଧର ତିଳକଙ୍କ ଜନ୍ମ ତିଥିରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରମିକ ମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଦଳରୁ ଉର୍ଦ୍ଧ୍ବରେ ରହି ଏହି ସଂଗଠନ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଗଠନ କରାଯାଇଛି। ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟମାନଙ୍କ ଭଳି ସୁଖ ସ୍ଵାଛନ୍ଦ୍ୟରେ ବଞ୍ଚିବା ଭଳି ମଜୁରୀ ଦେବାକୁ ବିଏମଏସ ଦାବୀ କରିବା ସହ ଆଉଟସୋର୍ସିଂ ଓ ଠିକାଦାର ପ୍ରଥା ଉଛେଦ ପାଇଁ ଲଢେ଼ଇ କରିଆସୁଛି। ୬୯ତମ ପ୍ରତିଷ୍ଠା ଦିବସରେ ବିଏମଏସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର ବକ୍ତାଭାବେ ଯୋଗଦେଇ ବିଏମଏସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କନ୍ଧମାଳ ଜିଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମନୀତି ସମ୍ପର୍କରେ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଘ ଚାଳକ ରମେଶ ସାହୁ, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ସହିତ ଗଣମାଧ୍ୟମ ସବୁବେଳେ ରହିଛି ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରେ ଆଉଟ ସୋର୍ସିଂ କମ୍ପାନୀ ମାନେ ଶ୍ରମିକ ମାନଙ୍କୁ ଶୋଷଣ କରି ଶ୍ରମିକ ମାରଣା ନୀତି ଆପଣାଉଥିବାରୁ ଆନ୍ଦୋଳନ ପାଇଁ ଜିଲା ସଭାପତି ଆହ୍ଵାନ ଦେଇଥିଲେ। ସାଧାରଣ ଠିକା ଶ୍ରମିକ ନିଯୁକ୍ତି ପାଇଁ ଆଉଟସୋର୍ସିଂ ସଂସ୍ଥା ବ୍ୟାପକ ଅର୍ଥ କାରବାର କରୁଥିବା ଓ ବିନା କାରଣରେ ଛଟେଇ କରୁଥିବାରୁ ଏହା ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆହ୍ଵାନ ଦିଆଯାଇଥିଲା। ସରକାର ଶ୍ରମିକ ଶୋଷଣକୁ ପ୍ରୋତ୍ସାହିତ କରୁଥିବାରୁ ଠିକାଶ୍ରମିକ ଓ ଆଉଟସୋର୍ସିଂ ବ୍ୟବସ୍ଥା ଲୋପ ପାଇଁ ଲଢେ଼ଇ କରିବାକୁ ନିଷ୍ପତ୍ତି ବୈଠକରେ ନିଆଯାଇଥିଲା।
ଏହି ଅବସରରେ ଶ୍ରମିକ ନେତା ବିନୋଦ ନାୟକ, ରବୀନ୍ଦ୍ର ବେହେରା ଓ ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ନାଗରିକ, ସାମ୍ବାଦିକ, ଶ୍ରମିକ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଅଙ୍ଗନବାଡି, ଆଶା ପାଚିକା ମାନଙ୍କୁ ସରକାର ପ୍ରୋଜେକ୍ଟ ନାମରେ ଆଳ ଦେଖାଇ ଚାକିରୀ ନିୟମିତ ନକରି ଶୋଷଣ କରୁଥିବା ଆଲୋଚନା ହୋଇଥିଲା। ଶେଷରେ କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।