ଜୟପୁର, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଓଡିଶା ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ। ଓଡିଶା ସରକାରଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରି ସେ ଫେରିଛନ୍ତି । ସେ ଆଗାମୀ ଦିନରେ ଓଡିଶା ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା କୃଷି ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଆତ୍ମ ନିଯୁକ୍ତି ଯୋଜନା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିନେଇ ଗସ୍ତ ରହିଥିଲା। ଉକ୍ତ ଗସ୍ତରେ କୋଟିଆର ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର, କୋଲ୍ଡ ଷ୍ଟୋରେଜ, ସ୍ଥାନୀୟ ଚାଷୀଙ୍କ ଚାଷ କାର୍ଯ୍ୟ ଗୁଡ଼ିକୁ ଦେଖିଥିଲେ। ଏହାପରେ ସେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ଆଲୋଚନା କରିଥିଲେ। କୋଟିଆର ରୂପାନ୍ତରଣରେ ଜିଲ୍ଲା ପ୍ରଶାସନର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏବଂ ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ଅବଗତ ହୋଇ ଏହାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ।
ଏହି ସମୟରେ କୋରାପୁଟ ଜିଲ୍ଲାପାଳ ଅବଦୁଲ୍ ମହମଦ୍ ଅକ୍ତର୍ ଏବଂ ବିଭିନ୍ନ ଜିଲ୍ଲା ଓ ବ୍ଲକ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଲିଉ ଗେମେଲ, ପଟ୍ଟାଙ୍ଗି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଟିକାଈ ଗେମେଲ ପ୍ରମୁଖ ଉପସ୍ଥିତ ରହିଥିଲେ।