ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ ସୋମେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ବୈଠକ ଗତକାଲି ସଭାପତି ମାଣିକ ଲାଲ ଜୈନଙ୍କ ସଭାପତିତ୍ଵ ଓ ଆବାହକ ଅନିଲ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଯୋଗିନୀ ପୀଠରେ ରହିଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତିକରଣ, ଆଲୋକୀକରଣ, ସମିଆ ବନ୍ଧର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମୁଣ୍ଡପଦରରୁ ରାଣୀପୁର ଝରିଆଲ ଓ ସିନ୍ଧେକେଲା ନିଶାନୀ ପାହାଡ ଠାରୁ ଝରିଆଲ ପର୍ଯ୍ୟନ୍ତ ରାସ୍ତାର ଦୋହରୀକରଣ ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହିତ ଏହି ପୀଠର ସାମଗ୍ରିକ ଉନ୍ନତି ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରହିଥିବା ଅସୁବିଧା ଗୁଡିକର ସମାଧାନ ପାଇଁ ଆସନ୍ତା ଅଗଷ୍ଟ ୪ ଓ ୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଥିବା ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଜଣାଇବା ପାଇଁ ଆଲୋଚନା ହୋଇଥିଲା। ପୂର୍ବରୁ ବିଜେଡି ସରକାରଙ୍କ ବହୁ ମନ୍ତ୍ରୀ ରାଣୀପୁର ଝରିଆଲ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରାଣୀପୁର ଝରିଆଲ ଥିବା କହିଛନ୍ତି । ତେଣୁ ଐତିହାସିକ ପୀଠ ରାଣୀପୁର ଝରିଆଲକୁ ଫାଇଭ- ଟି ସଚିବଙ୍କ ଗସ୍ତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବା ନେଇ ଆଲୋଚନା ହୋଇଥିଲା।
ପ୍ରକାଶ ଯୋଗ୍ଯ, ୧୯୭୨ ରେ କେବଳ ଯୋଗିନୀ ପୀଠକୁ ଏଏସଆଇ ନିଜ ଅଧୀନକୁ ନେଇଥିଲା, କିନ୍ତୁ ୨୦୧୯ ମସିହାରେ ରାଣୀପୁର ଝରିଆଲ ସମସ୍ତ ମନ୍ଦିରକୁୁ ଜାତୀୟ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର ଆଶାନୁରୂପ ବିକାଶ ଅଦ୍ୟାବଧି ପର୍ଯ୍ୟନ୍ତ ହୋଇ ପାରିନାହିଁ। କିଛି ଦିନ ତଳେ ପ୍ରେସ କ୍ଲବ କଣ୍ଟାବାଞ୍ଜିର ତୃତୀୟ ବାର୍ଷିକୋତ୍ସବରେ ଅତିଥି ଭାବରେ ଯୋଗଦେବା ପାଇଁ ଆସିଥିବା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡା, ପ୍ରେସକ୍ଲବର ସଭାପତି ପ୍ରଭଜିତ ସିଂହ ସାଲୁଜା ଓ ରାଣୀପୁର ଝରିଆଲ ମନ୍ଦିର କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ ପୀଠ ବିଷୟରେ ଅବଗତ କରିଥିଲେ। ଏହାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚଳିତ ମୌସୁମୀ ଅଧିବେଶନରେ ୨୦ ତାରିଖ ଦିନ ଷ୍ଟାର ପ୍ରଶ୍ନ ନମ୍ବର ୦୧ ରେ ବଲାଙ୍ଗୀର ଜିଲ୍ଲାରେ ସ୍ଥିତ ପ୍ରସିଦ୍ଧ ୬୪ ଯୋଗିନୀ ମନ୍ଦିର ସମୁହକୁ ୱାର୍ଲ୍ଡ ହେରିଟେଜ ଓ ସାଂସ୍କୃତିକସ୍ଥଳର ମାନ୍ୟତା ଦେବାପାଇଁ ରାଜ୍ୟସଭାରେ ଭାରତ ସରକାରଙ୍କ ସଂସ୍କୃତି ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହାକୁ ନେଇ ରାଣୀପୁର ଝରିଆଲ ମନ୍ଦିର କମିଟି ପକ୍ଷରୁ ରାଜ୍ଯସଭା ସାଂସଦ ଶ୍ରୀ ବିଶିଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଫାଇଭ-ଟି ସଚିବଙ୍କ ଗସ୍ତ ପରେ ରାଣୀପୁର ଝରିଆଲର ବିକାଶ ସହିତ ରହିଥିବା ସମସ୍ୟା ଗୁଡିକ ଦୂର ହେବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି ।
ଏହି ବୈଠକରେ ମନ୍ଦିର କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, କୃଷ୍ଣ ସାହୁ, ଗୋପୀନାଥ ସାହୁ, ଝରିଆଲ ସରପଞ୍ଚ ଭରଦ୍ଵାଜ ଗହୀର, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ , ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ଅଶୋକ ଭୋଇ, ଶୁସାନ୍ତ ଥନାପତୀ, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ପରମାନନ୍ଦ ଭୋଇ, ଧନୀରାମ ଭୋଇ, ଇନ୍ଦ୍ରମଣି ଭୋଇ, ପ୍ରହଲ୍ଲାଦ ସାହୁ, ଲଲିତ ସାହୁ, ପହଲେଶ୍ବର ପୁଟେଲ, ନବକିଶୋର ଭରାସଗ୍ରିଆ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଓ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।