ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ସେ ଏହି ଅବସରରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି । ବିଶ୍ୱର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାରତ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ୍, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି ।
ସେ କହିଛନ୍ତି, ଆଗାମୀ ଦିନରେ ଆମ ଦେଶକୁ ଦୁନିଆର ୧ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ ଏବଂ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ଭିତରେ ରଖିବା ପାଇଁ ପଡିବ । ତାହା ହେଲା “ମୁଁ ଯାହା କରୁଛି, ସମାଜ ଓ ଦେଶ ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ” । ଏହି ଦୁଇଟି ସୂତ୍ର ଦ୍ୱାରା ହିଁ ବିକଶିତ ଭାରତର ସଂକଳ୍ପ ସାକାର ହେବ ବୋଲି ସେ କହିଛନ୍ତି ।