– ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀକୁ ନ୍ୟାୟ ମିଳିପାରିବ :ବିଜେପି
ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଂଟ କାରାଖାନା ପାଇଁ ରାଜ୍ୟସରକାରଙ୍କ ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି । ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବାକଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତଭୁର୍କ୍ତ । ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଂଚାୟତରେ ଆସୁଛି । ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଂଟ କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଲା ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସହ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି । ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କରି ପାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ପିଇଓ ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର ଅନ୍ୟ ନେତାଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଥିଲା । ଏମିତିକି ଗ୍ରାମ ପଂଚାୟତର ଅଧିକାରୀମାନଙ୍କୁ ଭାଇଜାକ ଓ ମୁମ୍ବାଇ ଭଳି ସହରକୁ ନେଇ ଆପ୍ୟାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା । ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ସ୍ମିତାରାଣୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତା ପୀପାସାକୁ ମେଂଟାଇବା ପାଇଁ ଜଣେ ନିରୀହ ଝିଅ ସ୍ମିତାରାଣୀର ବଳି ପକାଇଛି । ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୁକ୍ତ କରାଯାଉ । କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଧାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।