ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମତ୍ୟୁବରଣ କରିଥିବା ଆହୁରି ୪୧ ଟି ମୃତଦେହ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରହିଛି । ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବର୍ତମାନ ଭୁବନେଶ୍ୱର ଏମ୍ସରେ ୪୧ଟି ଶବ ସଂରକ୍ଷିତ ଅବସ୍ଥାରେ ଅଛି । ନିଜ ସମ୍ପର୍କୀୟଙ୍କ ଶବ ନେବା ପାଇଁ ଆସିଲେ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଉଛି । ଡିଏନ୍ଏ ମ୍ୟାଚ କଲେ ଶବ ହସ୍ତାନ୍ତର କରାଯାଉଛି । ଏହା ଏକ ନିରନ୍ତର ପ୍ରକ୍ରିୟା । ଏବେ ମୃତକଙ୍କ ସଂପର୍କୀୟ କମ୍ ଆସୁଛନ୍ତି । ଶବ ଚିହ୍ନଟ ହୋଇପାରୁଛି । କିନ୍ତୁ ଲୋକ ନେବା ପାଇଁ ଆସୁନାହାନ୍ତି । ଶବ ହସ୍ତାନ୍ତର ସଂପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି । ଶବଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ । ବର୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତି ହୋଇନାହିଁ ।
ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ହଜାରେରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ । ଏହି ରେଳ ଦୁର୍ଘଟଣାରେ ୨୫୪ ଜଣ ମୃତ ଯାତ୍ରୀଙ୍କର ଶବକୁ ଚିହ୍ନଟ କରାଯାଇ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରାଯାଇଛି ।