-
ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-
ଭବିଷ୍ୟତ ପିଢ଼ି ପାଇଁ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ
-
ପରିବେଶର ସୁରକ୍ଷା ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ
-
ଆମର ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବା
-
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ମିଶନ ଲାଇଫ୍’ ଆଧାରରେ ସମସ୍ତେ ମିଳିତ ଭାବରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା
-
ବୃକ୍ଷରୋପଣକୁ ନିଜ ଭିତରେ ସୀମିତ ରଖିବା ନାହିଁ, ଏକ ଜନଆନ୍ଦୋଳନରେ ପରିଣତ କରିବା
-
ସିଓପି୨୮ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହେବା ଓ ଏକ ସବୁଜ ଏବଂ ସ୍ଥାୟୀ ବିଶ୍ୱର ସ୍ୱପ୍ନକୁ ବାସ୍ତବରେ ସାକାର କରିବା
ନୂଆଦିଲ୍ଲୀ/ଭୁବନେଶ୍ୱର, ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ପ୍ରକୃତି ଆମକୁ ଅନେକ କିଛି ଦେଇଛି ଏବଂ ଏଥିପାଇଁ ମୁଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ । ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ ହୋଇପଡିଛି । ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ । ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ ।
ଆମ ପାଖରେ ପ୍ରକୃତି ଅଛି ଏବଂ ପରିବେଶକୁ ପୁନରୁଦ୍ଧାର କରିବାର ଅପାର ଶକ୍ତି ମଧ୍ୟ ଅଛି । ଆମର ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ନିଜେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବା ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ମିଶନ ଲାଇଫ୍’ ଆଧାରରେ ସମସ୍ତେ ମିଳିତ ଭାବରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା । ଚଳିତ ମୌସୁମୀ ଋତୁରେ ସମସ୍ତେ ୧ କୋଟି ଗଛ ଲଗାଇବାର ସଂକଳ୍ପ ନେବା । ବୃକ୍ଷରୋପଣକୁ କେବଳ ନିଜ ଭିତରେ ସୀମିତ ରଖିବା ନାହିଁ, ଏକ ଜନଆନ୍ଦୋଳନରେ ପରିଣତ କରିବା । ଆଗାମୀ ସିଓପି୨୮ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହେବା ଏବଂ ଏକ ସବୁଜ ଏବଂ ସ୍ଥାୟୀ ବିଶ୍ୱର ସ୍ୱପ୍ନକୁ ବାସ୍ତବରେ ସାକାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।