
ବଲାଙ୍ଗିର, ବଲାଙ୍ଗିର ସହର ଭିତରେ ଘର ନିର୍ମାଣ କାମ କରୁଥିବା ଲୋକେ ସତର୍କ ରହନ୍ତୁ । ରାସ୍ତା ଅବରୋଧ କଲେ ଦେବାକୁ ପଡ଼ିବ ପାଉଣା । ଗତକାଲି ବଲାଙ୍ଗିର ମ୍ୟୁନିସିପାଲଟି ଠାରେ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍ଘାଟନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଘର ନିର୍ମାଣ ପରେ ରାସ୍ତା ଉପରେ ପଡ଼ି ରହୁଥିବା ବର୍ଜ୍ୟବସ୍ତୁ ଗୁଡ଼ିକର ସୁପରିଚାଳନା ପାଇଁ ଏହି ନମ୍ବର୍ ଜାରି କରାଯାଇଛି ।
ସୂଚନଯୋଗ୍ୟ ଯେ, ବଲାଙ୍ଗିର ସହରରେ ଏବେ ଘନ ଘନ ଘର ନିର୍ମାଣ କାମ ଚାଲିଛି । କୌଣସି ନା କୌଣସି ସ୍ଥାନରେ ଘର ନିର୍ମାଣ କରାଯାଉଥିବା ବେଳେ ଏଥିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯଥା ବାଲି ଗେଟି ପଥର ଆଦି ରାସ୍ତା ଉପରେ ପଡ଼ି ରହୁଛି । ଏହା ଫଳରେ ରାସ୍ତା ଅବରୋଧ ହେବା ସହ କେତେକ ସ୍ଥାନରେ ଡ୍ରେନ ଅବରୋଧ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ସମୟରେ ଏହା ନର୍ଦ୍ଦମା ପାଣି ନିଷ୍କାସନରେ ବାଧକ ସାଜୁଛି । ତେଣୁ କରି ଏହି ଆବର୍ଜନାକୁ ନେବା ପାଇଁ ଜନସାଧାରଣ ୯୦୪୦୧୦୫୧୧୧ ନମ୍ବରରେ ଯୋଗାଯୋଗ କରିପାରିବେ ଓ ଏଥିପାଇଁ ପରିବହନ ଖର୍ଚ୍ଚ ଟ୍ରାକ୍ଟର ପ୍ରତି ୫୦୦ ଟଙ୍କା ପଡ଼ିବ । ତେବେ ଏହି ନମ୍ବରରେ ଯୋଗାଯୋଗ କିମ୍ବା ଅଭିଯୋଗ କରି ବଲାଙ୍ଗିର ମ୍ୟୁନିସିପାଲଟିକୁ ସ୍ଵଚ୍ଛ ଓ ସୁନ୍ଦର କରିବାରେ ଜନସାଧାରଣ ସହଯୋଗ କରନ୍ତୁ ବୋଲି ପୌରଧ୍ୟକ୍ଷା ଲିକା ସାହୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ବଲାଙ୍ଗିର ମୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ଯେ, ଲୋକଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ନମ୍ଵରରେ ଦିନରାତି ଲୋକେ ଯୋଗାଯୋଗ କରିପାରିବେ। ଏଭଳି ବର୍ଜ୍ୟବସ୍ତୁ ରାସ୍ତା ଉପରେ ପଡିଥିବା ମୁନିସିପାଲଟି କର୍ମଚାରୀମାନେ ଦେଖି ଉଠାଇବା ପାଇଁ ଏକ ହଜାର ଟଙ୍କା ଟ୍ରାକ୍ଟର ପ୍ରତି ଜରିମାନା ହିସାବରେ ଆଦାୟ କରାଯିବ।
Posted by: Desk, Indo Kaling Times