
ଚଳିତ ମୌସୁମୀକୁ ଦୃଷ୍ଟିରେ ରଖି କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), ଜବାହର ନବୋଦୟ ବିଦ୍ୟାଳୟ; କେନ୍ଦ୍ରୀୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ସୁନାବେଡାର ମିଳିତ ଆନୁକୂଲ୍ୟରେ ଜଙ୍ଗଲ ସଂରକ୍ଷଣ ଓ ପରିବେଶ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୩ ଜୁଲାଇ ୧୯ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଉଦ୍ ଘାଟନୀ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିଥିଲେ। ବୃକ୍ଷରୋପଣର ବିଭିନ୍ନ ଉପକାରିତା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ “ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ମଣିଷକୁ ଅମ୍ଳଜାନ ଯୋଗାଇବାରେ ବୃକ୍ଷ ଓ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତମାନ ବିଭିନ୍ନ କାରଣରୁ ଆମ ପରିବେଶ ସହ ସମଗ୍ର ପୃଥିବୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଯଦି ଆମେ ପ୍ରଦୂଷଣରୁ ବଞ୍ଚିବାକୁ ଚାହୁଁଛୁ, ପରିବେଶକୁ ବଞ୍ଚାଇବାକୁ ଚାହୁଁଛୁ ଏବଂ ବିଶ୍ୱକୁ ବଞ୍ଚାଇବାକୁ ଚାହୁଁଛୁ, ତେବେ ଆମକୁ ବହୁ ସଂଖ୍ୟକ ବୃକ୍ଷରୋପଣ କରିବାକୁ ପଡିବ । ଗଛ ଲଗାଇ ଧରିତ୍ରୀକୁ ସବୁଜ ସୁନ୍ଦର କରିବାର ବାର୍ତ୍ତା ଆମ୍ଭେମାନେ ସମାଜକୁ ଦେବା” । ୧୯୨୬ ମସିହାରେ ହଙ୍ଗେରୀର ବାଲାଟନଠାରେ ଏସିଆର ପ୍ରଥମ ନୋବେଲ ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ବୃକ୍ଷ ରୋପଣ କରି ଆରମ୍ଭ କରିଥିବା ବୃକ୍ଷରୋପଣର ଇତିହାସ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।
ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର କୋରାପୁଟ ମହାପ୍ରବନ୍ଧକ ସୁଧାଂଶୁ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟକଳାପ ଉପରେ ସେ ଆଲୋକପାତ କରିବା ସହ ବହୁ ପ୍ରଶଂସା କରିଥିଲେ। ଏହି ଅବସରରେ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଲିତା, କେଭି କୋରାପୁଟର ଅଧ୍ୟକ୍ଷା, ଶ୍ରୀ ଅରବିନ୍ଦ ବିଶ୍ୱାଳ; କେଭି ସୁନାବେଡ଼ାର ଅନିନ୍ଦିତା ଚାଟାର୍ଜୀ, ଜେଏନ୍ଭି କୋରାପୁଟର ଅଧ୍ୟକ୍ଷା ମିଲାନୀ ମିତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା-ଏକାଡେମିକ୍ ପ୍ରଫେସର ସୁଧେନ୍ଦୁ ମଣ୍ଡଳ, ସ୍କୁଲ ଅଫ୍ ଲାଙ୍ଗୁଏଜ୍ ର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା, ଭିଜିଟିଂ ପ୍ରଫେସର ପ୍ରଫେସର ବାଗଚୀ, ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ମେଶ୍ରାମଙ୍କ ସମେତ ବିଶ୍ୱବିଦ୍ୟାଳୟ, କେଭି ସୁନାବେଡ଼ା, କେଭି କୋରାପୁଟ ଓ ଜେଏଭି କୋରାପୁଟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆସୋସିଏଟ୍ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ସୁଧେନ୍ଦୁ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ମଦନ ମୋହନ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Posted by: Desk, Indo Kaling Times