ଭୁବନେଶ୍ବର, ୟୁନିଟ୍-୯ ବାଳିକା ହାଇସ୍କୁଲର ମିଶ୍ରଣକୁ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ସେମାନେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଏହି ବିରୋଧକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସମର୍ଥନ ଜଣାଇବାକୁ ସେଠାରେ ପହଂଚିଛନ୍ତି ଓ ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କର ଅସନ୍ତୋଷ ବଢ଼ିବାରେ ଲାଗିଛି। ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।ରମା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନର ସତ୍ତା ହଜାଇଦେବା ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରୀ ବିରୋଧ କରିଛନ୍ତି।
ଉଲ୍ଲେଖନୀୟ ଯେ ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ ବୋଲି ଜଣା ପଡିଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ତେବେ ସେଠାରେ ଲ୍ୟାବ୍ ନଥିବାରୁ ବିଜ୍ଞାନ ବିଭାଗର ଛାତ୍ରୀମାନେ ରମା ଦେବୀ ବିଶ୍ଵବିଦ୍ୟାଳୟରେ ପଢ଼ିବେ ବୋଲି ଜଣାଯାଇଛି।ଅନ୍ୟପଟେ ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି।
Posted by: Desk, Indo Kaling Times