
ଜୟପୁର, ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମବାର ଅବସରରେ ବୋଲ ବମ୍, ହରହର ବମ୍ ଧ୍ଵନିରେ କମ୍ପୁଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ । କାନ୍ଧରେ କାଉଡ଼ି, ଦେହରେ ଗେରୁଆ ବସ୍ତ୍ର ପରିଧାନ କରି ତୁଣ୍ଡରେ ହର ହର ମହାଦେବ ନାମ ନେଇ ଗୁପ୍ତେଶ୍ଵର ପୀଠକୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତ । ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସି ଶୈବ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ଭକ୍ତ । ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଗତ ରାତି ୧୨ଟାରୁ ପହୁଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କାଉଡିଆ ଓ ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି । ମହାଦେବଙ୍କ ଉପରେ ଜଳ ଢାଳି ପୂର୍ଣ୍ଣ କରିବେ ନିଜ ମନସ୍କାମନା । ଏହି ଲକ୍ଷ୍ୟରେ ଗୁପ୍ତେଶ୍ଵର ପୀଠକୁ ଆଗେଇ ଚାଲିଛନ୍ତି ବୋଲବମ୍ ଭକ୍ତଗଣ । ସେପଟେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୋଲିସ ଓ ଦେବତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Posted by: Desk, Indo Kaling Times