ପୁରୀ- ଫନି ବାତ୍ୟା ପରେ ଆଜି ଅନୁଷ୍ଠିତ ବ୍ରହ୍ମଗିରି ପଂଚାୟତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ହେବା ଯୋଗୁଁ ବୈଠକ ଅଧାରୁ ବନ୍ଦ ହୋଇଯାଇଥିବା ଜଣାପଡିଛି । ଫନି ବାତ୍ୟାରେ ଅନେକ କ୍ଷତିଗ୍ରସ୍ତ ପରିବାର ସାହାଯ୍ୟ ପାଇନଥିବା ବେଳେ ଦଳୀୟ ଭିତିରେ ବିଜେଡି ତାଲିକା ପ୍ରସ୍ତୁତ କରିଛି ବୋଲି ବିଜେପିର ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ । ଜଣେ ଯୁବ ଜିଲ୍ଲା ପରିଷଦ ସଭ୍ୟ ବୈଠକ ଅଧାରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ବୈଠକର ବାତାବରଣକୁ ଉତେଜନାପୂର୍ଣ୍ଣ କରିଥିଲେ । ଯାହାଫଳରେ ଜଣେ ସମିତି ସଭ୍ୟା ବୈଠକରେ ଲେଖାହେଉଥିବା ରିଜ୍ୟୁଲେସନ ଖାତାକୁ ଚିରି ଦେଇଥିଲେ । ଯାହାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇବା ସହ କିଛି ସମୟ ପ୍ରବଳ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା । ବୈଠକରେ ବିଜେପିର ଅଧିକ ଟାଣୁଆ ସଭ୍ୟସଭ୍ୟା ଥିବାରୁ ବିଜେଡିର ସଭ୍ୟମାନେ ବାଧ୍ୟ ହୋଇ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ରାଜ୍ୟ ସରକାର ବିଜେଡି ଦଳର ଥିବାବେଳେ ସେହି ଦଳର ସମିତି ସଭ୍ୟ ଓ ସଭ୍ୟାମାନେ କିପରି ଆପତି ଉଠାଉଛନ୍ତି ତାକୁ ନେଇ ବ୍ରହ୍ମଗିରିରେ ଚର୍ଚ୍ଚା ଜୋର୍ ଧରିଛି ।
ଏହି ବୈଠକରେ ବ୍ରହ୍ମଗିରିର ନବନିର୍ବାଚିତ ବଜେପି ଦଳର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ । ବିଜେଡି ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀଙ୍କ ପାଖଲୋକ ବୋଲାଉଥିବା ଯୁବନେତା ବ୍ରହ୍ମଗିରିରେ ସବୁ ବିଭ୍ରାଟ କରୁଛନ୍ତି ବୋଲି ବିଜେପି ସଭ୍ୟମାନେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ବ୍ରହ୍ମଗିରି ପୁଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।