ନୂଆପଡ଼ା,ନୂଆପଡା ଜିଲ୍ଲା କୋମନା ସ୍ଥିତ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ବାପର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଖବର ଅନୁଯାୟୀ, ଆଜି ସକାଳ ଆଠଟା ସମୟରେ ଘନଶ୍ୟାମ ପଟେଲ (୭୦) ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ବାପକୁ ଭାଲୁ ଆକ୍ରମଣ କରିଥିବାର ଦେଖି ପୁଅ ଚୈତୁ ପଟେଲ (୩୫) ଭାଲୁକୁ ଘଉଡ଼େଇବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଭାଲୁଟି ତାଙ୍କୁ ବି ଆକ୍ରମଣ କରିଥିଲା। ବାପ ପୁଅଙ୍କ ଚିତ୍କାର ଶୁଣି ବିରୁନପଦର ଗ୍ରାମବାସୀ ବିଜାଖମନ ଜଙ୍ଗଲକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ, ହେଲେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଥିଲା । ପୁଅକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ବୃଦ୍ଧ ବାପର ମର ଶରୀରକୁ ୩୫୩ ନମ୍ବର ଜାତୀୟ ରାଜପଥରେ ରଖି ବିରୁନପଦର୍ ଗାଁର ଲୋକେ ରାସ୍ତା ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ ଭାଲୁକୁ ଧରା ନ ଯାଇଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବ ବୋଲି ଜିଦ୍ ଧରିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ କର୍ମଚାରି, ପ୍ରଶାସନିକ ଅଧିକାରୀ ପହଂଚି ବୁଝାଇଥିଲେ ମଧ୍ୟ ସେମାନେ ବୁଝିବା ପାଇଁ ନାରାଜ । ପରେ ଘଟଣାସ୍ଥଳରେ ଖଡ଼ିଆଳ ଡିଏଫଓ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ପ୍ରଥମେ ଭାଲୁକୁ ଧର, ତା ପରେ ରାସ୍ତା ଅବରୋଧରୁ ହଟିବୁ ବୋଲି କହିଛନ୍ତି ଗ୍ରାମବାସୀ । ଅକାଳରେ ବୃଦ୍ଧର ଜୀବନ ଗଲା, ସେଥିପାଇଁ କିଏ ଦାୟୀ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏବେ ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି, କଣ ପଦକ୍ଷେପ ନେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।
Posted by: Desk, Indo Kaling Times