ପୁରୀ- ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ନାଁରେ ଏବେ କେବଳ ଭଙ୍ଗାରୁଜା ଚାଲିଛି । କଳେବଳେ କୌଶଳେ ବିଭିନ୍ନ କୋଠା ଭାଙ୍ଗିବା ପାଇଁ ନୂଆ ନୂଆ ଚାଲ ପ୍ରୟୋଗ କରାଯାଉଛି । ଶ୍ରୀକ୍ଷେତ୍ରକୁ ଶନିଦୃଷ୍ଟି ପଡିଥିବାରୁ ଏବେ ସବୁ ଭଙ୍ଗାଭଙ୍ଗି ହେଉଛି । ଆଗ ବିନାଶ ଓ ପରେ ବିକାଶର ଦ୍ୱାହି ଦେଇ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରଥମେ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣକୁ ଭାଙ୍ଗି ଦିଆଗଲା । ପରେ ପରେ ଲଙ୍ଗୁଳିମଠ, ଏମାର ମଠ, ବଡଆଖେଡା ମଠ, ମଙ୍ଗୁମଠ ଓ ସାନଛତା ମଠ ଭଙ୍ଗାଯାଇଛି । ମଠରେ ରହିଥିବା ଧାର୍ମିକ ବ୍ୟବସ୍ଥା ଭାଙ୍ଗିଯିବାରୁ ମଠ ତାର ପୂର୍ବ ବ୍ୟବସ୍ଥାରେ ରହିନାହିଁ । ମଠର ମହନ୍ତ, ବାବାଜୀ, ବିଦ୍ୟାର୍ଥୀ ଓ ମଠ ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀମାନେ ଏବେ ବିଭିନ୍ନ ଆଡେ ଚାଲିଗଲେଣି । ସ୍ଥାୟୀଘର ଓ କେତେକ ମଠ ମହନ୍ତଙ୍କୁ କ୍ଷତିପୂରଣ ମିଳିଥିବା ବେଳେ ମଠ ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତି ବିଶେଷ ମାନେ ଏବେ ହାତବାନ୍ଧି ବସିଛନ୍ତି । ଏପରି ସ୍ଥଳେ ସହରବାସୀ ଘଟଣାକୁ ନାପସନ୍ଦ କରିବା ସହ ଯେତେ କାମ ସେତେ ପିସି ନ୍ୟାୟରେ ଭିତିରି ଭିତିରି ଅନେକ କାରବାର ଚାଲୁଥିବା ନେଇ ଅଭିଯୋଗ କରିଛନ୍ତି । ଯେକୌଣସି ମତେ ମନ୍ଦିର ଚାରିପଟ ଭାଙ୍ଗିରୁଜି ସଫା କରିବା ନାଁରେ ଅନେକ ମାଲାମାଲ୍ ହେବା ସହରରେ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ମେଘନାଦ ପାଚେରୀଠାରୁ ୭୫ ମିଟର ଦୂର ଅଂଚଳରେ ସୁରକ୍ଷା ଜୋନ୍ ଆଳରେ ଭଙ୍ଗାରୁଜା କରାଯାଉଥିବା ବେଳେ ମନ୍ଦିର ଭିତରେ ସୁରକ୍ଷା ନଥିବା କୁହାଯାଇଛି । ଅନାୟସରେ ଆଣ୍ଡ୍ରୋଏଡ ଫୋନ୍ ମନ୍ଦିର ଭିତରକୁ ଯିବା ସହ ଫଟୋ ଉତୋଳନ କରାଯାଉଥିବା ବିଭିନ୍ନ ସମୟରେ ଦେଖାଯାଉଛି । ଭକ୍ତମାନଙ୍କୁ ମନ୍ଦିର ଭିତରେ ର୍ଦୁବ୍ୟବହାର କରାଯିବା ସହ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ମନ୍ଦିର ଭିତରେ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ସବୁ ସୁବିଧା ଯୋଗାଇ ଦିଆଯାଇପାରୁନାହିଁ । ଶ୍ରୀକ୍ଷେତ୍ରର ବିକାଶ ନାଁରେ ବିନାଶ ହେଉଥିବାରୁ ଆଗାମୀ ଭବିଷ୍ୟତରେ କ’ଣ ହେବ ତାକୁ ନେଇ ବୁଦ୍ଧିଜୀବି ମାନେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି ।