
ଭୁବନେଶ୍ୱର, ଲଗାଣ ବର୍ଷା କୁ ନଜରରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି । ସାମ୍ଭାବ୍ୟ ଲଗାଣ ବର୍ଷା ଏବଂ ଜଳବନ୍ଦୀ ସମସ୍ୟା କୁ ନେଇ ଭୁବନେଶ୍ୱର ମେୟର ଶ୍ରୀମତା ଦାସ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଅଧିକ ବର୍ଷା ହେଲେ ସହରାଞ୍ଚଳରେ ଜଳବନ୍ଦୀ ର ସମସ୍ୟା ଦେଖାଯାଏ। ଦିଲ୍ଲୀ ମୁମ୍ବାଇ ଭଳି ସହରରେ ମଧ୍ୟ ଏହା ଦେଖାଯାଉଛି। ଯେହେତୁ ଅଧିକ ବର୍ଷା ହେଉଛି ଆମକୁ ସତର୍କ ରହିବାକୁ ହେବ।
ସେ କହିଛନ୍ତି, ଗତବର୍ଷ ବିଏମସି ରେ ଜଳବନ୍ଦୀ ସମସ୍ୟା କୁ ନେଇ ୭୨ ଟି ସମ୍ବେଦନଶୀଳ ସ୍ଥାନ ରହିଥିଲା। କିଛି ସ୍ଥାନରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ୩୨ ଟି ସ୍ଥାନ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ଏହି ସ୍ଥାନରୁ ଜଳବନ୍ଦୀ ସମସ୍ୟା ଦୂର ପାଇଁ ଚେଷ୍ଟା ଜାରି ରହିଛି। ସମ୍ବେଦନଶୀଳ ସ୍ଥାନରେ ମୋଟର ପମ୍ପ ବ୍ୟବହାର କରାଯାଉଛି। କିଛି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି। କିଛି ଲୋକେ ଡ୍ରେନ ରେ ପଲିଥିନ ପକାଇବାରୁ ମଧ୍ୟ ସମସ୍ୟା ଉପୁଜୁଛି। ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଲଗାଣ ବର୍ଷା କୁ ନଜରରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।
Posted by: Desk, Indo Kaling Times